ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ବ୍ରେନ୍‌ ଷ୍ଟ୍ରୋକ୍‌ ପରେ ଜଣେ ବ୍ୟକ୍ତିଙ୍କର କର୍ମମୟ ଜୀବନ, ସାମାଜିକ ଜୀବନ ଏବଂ ପାରିବାରିକ ଜୀବନ ଏପଟସେପଟ ହୋଇଯାଏ। ପୀଡ଼ିତଙ୍କ ସହ ସେମାନଙ୍କର ପରିବାର ଲୋକ ଏକ ପ୍ରକାର ଭାଙ୍ଗିପଡ଼ନ୍ତି। ଏଭଳି ସ୍ଥିତିରେ ଉଭୟ ଷ୍ଟ୍ରୋକ ପୀଡ଼ିତ ବ୍ୟକ୍ତି ଓ ସେମାନଙ୍କ ପରିବାର ନିଜକୁ ସମ୍ଭାଳିବା ଅତି କଷ୍ଟକର ହୋଇପଡ଼େ ବୋଲି କୁହନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସ୍ୱାଇଁ।

ମାନସିକ ଚାପ ସହ ଷ୍ଟ୍ରୋକର ସମ୍ପର୍କ ରହିଥିବା ଡାକ୍ତର କୁହନ୍ତି। ମାନସିକ ଚାପ ଦୀର୍ଘ ଦିନ ଧରି ରହିଲେ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଯଦି ଜଣେ ମଣିଷର ଚାପ ନିୟନ୍ତ୍ରଣ ହୁଏ ନାହିଁ ତାହା ପରବର୍ତ୍ତୀ ସମୟରେ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଥାଏ। କେବଳ ସେତିକି ନୁହେଁ ଜୀବନ ଶୈଳୀରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳେ। ମାନସିକ ଚାପ ଯୋଗୁଁ ରକ୍ତଚାପ ନକମିଲେ ପରବର୍ତ୍ତୀ ସମୟରେ ଷ୍ଟ୍ରୋକର ହେବାର ସମ୍ଭାବନା ରହିଥାଏ ବୋଲି କୁହନ୍ତି ଡାକ୍ତର ଶୁଭଙ୍କର ସ୍ୱାଇଁ।

ତେବେ ମାନସିକ ଚାପକୁ କିପରି ନିୟନ୍ତ୍ରଣ କରିହେବ, ଷ୍ଟ୍ରୋକର ଶିକାର ହେଉଥିବା ବ୍ୟକ୍ତି କିପରି ଉଭୟ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରହିପାରିବେ? ସେ ସମ୍ପର୍କରେ ଅଧିକ ଜାଣିବା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସ୍ୱାଇଁଙ୍କଠାରୁ।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଷ୍ଟ୍ରୋକ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ। ୧୫ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମରେ ଷ୍ଟ୍ରୋକ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯିବ। ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି।

Tags:  #Mentalhealth #brainstroke #worldstrokeday #odiahealthtips #Doctorsadvice #treatment

LEAVE A REPLY

Please enter your comment!
Please enter your name here