କପିଳାସ ଭୂୟାଁ   

ଏବେ କେବଳ ପାର୍ବଣ ଋତୁ ନୁହେଁ, ସାଂସ୍କୃତିକ ଋତୁ ମଧ୍ୟ ଚାଲିଛି। ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉତ୍ସବମୁଖର ରାଜଧାନୀ ଭୁବନେଶ୍ୱର। ଏହି ଧାରାରେ ଗତ ଅକ୍ଟୋବର ୨୬ ତାରିଖ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ହୋଇଥିଲା ‘ସୁରେଶ ସମାବେଶ’। ଚଳିତବର୍ଷ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚିତ୍ରଶିଳ୍ପୀ, ପ୍ରିଣ୍ଟମେକର ତଥା ଭିଜୁଆଲାଇଜର ରାମହରି ଜେନାଙ୍କୁ ‘ସୁରେଶ ସୃଜନ ସମ୍ମାନ’ରେ ସମ୍ମାନିତ କରାଯାଇଛି।  

ଓଡ଼ିଶାରେ ଆଧୁନିକ ଚିତ୍ରକଳା କ୍ଷେତ୍ରରେ ରାମହରି ଜେନାଙ୍କ ଯୋଗଦାନ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଫିଗରେଟିଭ ଚିତ୍ରକଳା ଅଙ୍କନରେ ରହିଛି ସ୍ଵତନ୍ତ୍ର ଅବଦାନ। ଖାଲି ଫିଗରେଟିଭ ନୁହେଁ, ତାଙ୍କର ଲାଣ୍ଡସ୍କେପିଂ ମଧ୍ୟ ଅତି ସୁନ୍ଦର, କିନ୍ତୁ ସେ ନିୟମିତ ଭାବେ ତାହା ଆଙ୍କନ୍ତି ନାହିଁ। ପ୍ରିଣ୍ଟମେକିଂ କ୍ଷେତ୍ରରେ ଆମ ରାଜ୍ୟରେ ଯଦି କାହାର ନାଁ ନିଆଯାଏ ତେବେ ସର୍ବପ୍ରଥମ ନାମ ହେବ ରାମହରି ଜେନା।

ଅନ୍ୟପଟେ ଫୋଟୋଗ୍ରାଫି କରିବା ସହ କଫି ଟେବୁଲ ବୁକଠାରୁ ଆରମ୍ଭ କରି ସାଂସ୍କୃତିକ ସଭାସ୍ଥଳ ଓ ପ୍ରଦର୍ଶନୀ ମଣ୍ଡପ ଆଦିର ପରିକଳ୍ପନା କରିବାରେ ରାମହରି ଜେନାଙ୍କ ରହିଛି ଅନନ୍ୟ ଦକ୍ଷତା। ସେ କିଛି ମାତ୍ରାରେ କଳା ସମାଲୋଚନା ଲେଖିବା ସହ ଲୋକ-ଚିତ୍ରକଳା ତଥା ଲୋକ ସଂସ୍କୃତି କ୍ଷେତ୍ରରେ ଗବେଷଣା ମଧ୍ୟ କରନ୍ତି।

ଆସ୍କା ନିକଟସ୍ଥ ଘଟକୁରି ନାମକ ଏକ ଅଖ୍ୟାତ ଗାଁରେ ରାମହରିଙ୍କ ଜନ୍ମ ହୋଇଥିଲା। ସ୍କୁଲ ପାଠପଢ଼ା ଓ ପିଲାଦିନ ଗାଁ ଓ ଆସ୍କା ଟାଉନରେ କଟିଥିଲା। ଚିତ୍ରକଳାରେ ଅବଦମିତ ଆଗ୍ରହ ପାଇଁ ସେ ଖଲ୍ଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ।

ଏହାପରେ ସେ କାଲିକତାରେ ପ୍ରିଣ୍ଟ ମେକିଙ୍ଗରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ଏଥିରେ ଅଧିକ ଶିକ୍ଷା ଲାଭ ପାଇଁ ଚାର୍ଲ୍ସ ୱାର୍ଲସ (ଇଣ୍ଡିଆ) ଟ୍ରଷ୍ଟର ବୃତ୍ତିରେ ସେ ସ୍କଟଲାଣ୍ଡର ଗ୍ଲାସଗୋ ସ୍କୁଲ ଅଫ୍ ଆର୍ଟରେ ଅଧ୍ୟୟନ କରିଥିଲେ। ସେ ଜାତୀୟ ସ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସିନିୟର ସ୍କଲାରସିପ ଓ ଟାଗୋର ଫେଲୋସିପ ମଧ୍ୟ ପାଇଛନ୍ତି।

ରାମହରି ତାଙ୍କର ଫିଗରେଟିଭ ଚିତ୍ରକଳା ଅଙ୍କନ ପାଇଁ ଜର୍ମାନ ଚିତ୍ରଶିଳ୍ପୀ ଆଲବ୍ରେକତ ଡ୍ୟୁରରଙ୍କ ଦ୍ଵାରା ବହୁଧା ପ୍ରଭାବିତ। ତେଣୁ ସେ ନିଜ ଅଙ୍କନରେ ଶରୀରର ଉପର ଅପେକ୍ଷା ଅନ୍ତଃସ୍ଥ ମାଂସପେଶୀ ଦ୍ଵାରା ଯେଉଁଭଳି ଶରୀର ଗଢ଼ଣ ନିର୍ଦ୍ଧାରିତ ତାହାକୁ ଅଧିକ ଗୁରୁତ୍ଵ ଦିଅନ୍ତି।

ତାଙ୍କ ଚିତ୍ରକଳାର ଏହି ପରିଭାଷାକୁ ସେ ନିଜ ଅଙ୍କନର ଆରମ୍ଭ କାଳରୁ ଏପର୍ଯ୍ୟନ୍ତ ଗୁରୁତ୍ଵ ଦେଇ ଆସୁଛନ୍ତି। ତେବେ ତାଙ୍କ ଚିତ୍ରରେ ପୂର୍ବରୁ ରେଖା ଓ ରଙ୍ଗ ପ୍ରୟୋଗରେ ଯେଉଁ କଠିନ ଭାବ ଦେଖାଯାଏ, ପରବର୍ତ୍ତୀ କାଳରେ ତାହା ଅଧିକ ଲାଳିତ୍ୟ ପ୍ରସ୍ଫୁଟିଟ କରୁଥିବାର ଲକ୍ଷ୍ୟ କରାଯାଏ। ଏହାକୁ ଏକ କଳାତ୍ମକ ଉତ୍ତରଣ ବୋଲି କହିଲେ କିଛି ଭୁଲ ହେବ ନାହିଁ।     

ଉଲ୍ଲେଖନୀୟ କି ରାମହରି ଜେନା ହେଉଛନ୍ତି କେନ୍ଦ୍ର ଲଲିତ କଳା ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଉଥିବା ଜାତୀୟ ପୁରସ୍କାର ଲାଭ କରିଥିବା ଓଡ଼ିଶାର ପ୍ରଥମ ଚିତ୍ରଶିଳ୍ପୀ। ଆର୍ମେନିଆ ଦେଶରେ ୧୯୮୮ରେ ସଂଘଟିତ ଛାତିଥରା ଭୂମିକମ୍ପ କାଳରେ ମାନବବାଦ କିପରି ସମସ୍ତଙ୍କ ଆଶାକୁ ଉଜ୍ଜୀବିତ ରଖି ପାରିଥିଲା ସେହି ବିଷୟବସ୍ତୁ ଆଧାରରେ ରାମହରି ଅଙ୍କନ କରିଥିଲେ ଦୁଇଟି ଚିତ୍ରକଳା। ସେଗୁଡ଼ିକର ନାଁ ଥିଲା ଆର୍ମେନିଆ – ୧ ଓ ଆର୍ମେନିଆ – ୨। ସେହି ଦୁଇଟି ଚିତ୍ରକଳା ମଧ୍ୟରୁ ଆର୍ମେନିଆ – ୧ ପାଇଁ ତାଙ୍କୁ ୧୯୮୯ରେ ପ୍ରଦାନ କରାଯାଇଥିଲା ଜାତୀୟ ପୁରସ୍କାର।

ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ବିଶିଷ୍ଟ ଲେଖକ, ସ୍ତମ୍ଭକାର, ଲୋକସଂସ୍କୃତି ବିଶାରଦ ଓ ବନ୍ଧୁବତ୍ସଳ ବ୍ୟକ୍ତିତ୍ଵ ସୁରେଶ ବଳବନ୍ତରାୟଙ୍କ ଯୋଗଦାନ ଆଶା ଓ ଉତ୍ସାହର ଏକ ଜୀବନ୍ତ ସମାହାର। ତାଙ୍କରି ନାମରେ ନାମିତ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ‘ସୁରେଶ ସମାବେଶ’ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ସୁରେଶ ବଳବନ୍ତରାୟ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ଅବର୍ତ୍ତମାନରେ ତାଙ୍କ ନାମରେ ଦିଆଯାଉଥିବା ପୁରସ୍କାର ଚିତ୍ରଶିଳ୍ପୀ ରାମହରିଙ୍କ ପାଇଁ ନିଶ୍ଚୟ ଏକ ପ୍ରେରଣା ରୂପେ ପରିଗଣିତ ହେବ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦେଶକ। ମତାମତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ।)

Tags: #RamahariJena #EminentPainter #FineArt #SureshSrujanaSamman #Odisha

LEAVE A REPLY

Please enter your comment!
Please enter your name here