ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟ୍ସ’।

ଭୁବନେଶ୍ୱର ଜନତା ମଇଦାନଠାରେ ନଭେମ୍ୱର ୯ରୁ ଆରମ୍ଭ ହେବ ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବା ମିଲେଟ୍ସ ସମ୍ମିଳନୀ। ଏହାର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟ୍ସ’। ଓଡ଼ିଶା ସମେତ କେନିୟା, ଇଜିପ୍ଟ, ତାଞ୍ଜାନିଆ, ନେପାଳ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଜୋର୍ଡାନ ଭଳି ବିଭିନ୍ନ ଦେଶରୁ ପ୍ରାୟ ୩୦୦ ପ୍ରତିନିଧି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏନେଇ ବୁଧବାର କୃଷି ଭବନଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଅନ୍ତର୍ଜାତୀୟ ମିଲେଟ୍ସ ସମ୍ମିଳନୀ ଆୟୋଜନ କରାଯାଉଛି।”  

ସେ ଆହୁରି ମଧ୍ୟ କହିଛନ୍ତି, “ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ମିଲେଟ୍ସ ବା ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ୨୦୧୭ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଓଡ଼ିଶା ମିଲେଟ୍ସ ମିଶନ। ବର୍ତ୍ତମାନ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିଛି। ରାଜ୍ୟରେ ୨.୬ଲକ୍ଷ ହେକ୍ଟର ଜମିରେ ମିଲେଟ୍ସ ଚାଷ ହେଉଛି।”

ସମ୍ମିଳନୀରେ ମିଲେଟ୍ସ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କ ସଂପୃକ୍ତି ଉପରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିସହିତ ବୈଷୟିକ ଅଧିବେଶନ, ନୀତି ନିର୍ଦ୍ଧାରଣ ପାଇଁ ରାଉଣ୍ଡଟେବୁଲ ବୈଠକ, ବି-ଟୁ-ବି ବୈଠକ, ଅନ୍ତର୍ଜାତୀୟ ଖାଦ୍ୟ ମେଳା, କୁଇଜ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦିର ଆୟୋଜନ କରାଯିବ।

ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା ଯଥା- ଖାଦ୍ୟ ଏବଂ କୃଷି ସଙ୍ଗଠନ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭେଲପମେଣ୍ଟ, ଦକ୍ଷିଣ-ପୂର୍ବ ଏସିଆ ଏବଂ ମଧ୍ୟପ୍ରାଚ୍ୟ ଦେଶର କୃଷି ପରାମର୍ଶଦାତା, ଭାରତରେ ଅବସ୍ଥାପିତ ବିଭିନ୍ନ ଦେଶର ଦୂତାବାସ ଅଧିକାରୀ, ବିଭିନ୍ନ ରାଜ୍ୟର କୃଷି ସଚିବ ଏହି ସମ୍ମିଳନୀରେ ଯୋଗ ଦେବେ। ଏହି ଅବସରରେ ୩୧ଟି ବୈଷୟିକ ଓ ଅଣବୈଷୟିକ ଅଧିବେଶନର ଆୟୋଜନ କରାଯିବ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଗତବର୍ଷଠାରୁ ନଭେମ୍ୱର ୧୦ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ସହ ଜନ ସତେତନତା ବୃଦ୍ଧି କରିବା ମାଣ୍ଡିଆ ଦିବସର ମୁଖ୍ୟ ଉଦେଶ୍ୟ।

କୃଷି ମନ୍ତ୍ରୀଙ୍କ ସମେତ ସାମ୍ୱାଦିକ ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଉପସ୍ଥିତ ଥିଲେ। “ଅନ୍ତର୍ଜାତୀୟ ସମ୍ମିଳନୀରେ ମିଲେଟ୍ସ ବୈଚିତ୍ର୍ୟ, ଭୁଲି ଯାଇଥିବା ଖାଦ୍ୟ ଓ ଜଳବାୟୁ ସହନଶୀଳ ମାଣ୍ଡିଆ ଚାଷ ପଦ୍ଧତିକୁ ପ୍ରଦର୍ଶିତ କରିବା ପାଇଁ ଏସିଆ ପାସିଫିକ୍ ଆସୋସିଏସନ ଫର ଏଗ୍ରିକଲଚରାଲ ରିସର୍ଚ୍ଚ ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନେକ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞଙ୍କ ସହଯୋଗରେ ପ୍ରସ୍ତୁତ ମିଲେଟ୍ସ ସମ୍ପର୍କରେ ଏକ ଫାଉଣ୍ଡେସନ ଗାଇଡ ପ୍ରକାଶିତ ହେବ”, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ଦ୍ୱାରା ମିଲେଟ୍ସ ଉପରେ ଏକ ସଂଗୀତ ରିଲିଜ ହୋଇଥିଲା। ଓଡ଼ିଆ, ଦେଶୀୟା, ସମ୍ୱଲପୁରୀ ଓ ସାନ୍ତାଳୀ ଭାଷାକୁ ନେଇ ଏହି ସଂଗୀତ ପ୍ରସ୍ତୁତ କରାଯାଇଛି।  

Tags: #MilletsMission #Agriculture #Odisha #FoodProduction

Comment