ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୭ତମ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ତଥା ଓମ୍ବାଡସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଓମ୍ବାଡସି ସହାୟତାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ, ଓମ୍ବାଡସି ସିଇଓ ଜି ରାଜେଶଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଓମ୍ବାଡସି ସିଇଓ ରାଜ୍ୟର ୮ଟି ଖଣି ପ୍ରଭାବିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ସୂଚନା ଦେଇଥିଲେ।

ଓମ୍ବାଡସି ସିଇଓ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି। ପଞ୍ଚାୟତିରାଜ ଓ ପାନୀୟଜଳ, ସ୍କୁଲ ଓ ଗଣଶିକ୍ଷା, ଗୃହ ଏବଂ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୃଷି ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହଯୋଗରେ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନିଆଯାଇଛି। ଓମ୍ବାଡସି ପାଣ୍ଠିରୁ ଏଥିପାଇଁ ଆର୍ଥିକ ସହାୟତା ଦିଆଯାଉଛି।

ଏହି ପ୍ରକଳ୍ପ ଭିତରୁ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯେଉଁସବୁ ସଫଳତା ମିଳିଛି ସେ ବିଷୟରେ ସିଇଓ ଜି ରାଜେଶ ବୈଠକରେ କହିଥିଲେ। ଏହାସହ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସିଏଏମପିଏ ପାଣ୍ଠିର ବିନିଯୋଗ ଏବଂ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ମଧ୍ୟ ବୋର୍ଡକୁ ଓମ୍ବାଡସି ସିଇଓ ସୂଚନା ଦେଇଥିଲେ।

ଏହାଛଡ଼ା ବୈଠକରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଲାଗୁ ହେବାକୁ ଥିବା ୮ ନୂତନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ତୃଣମୂଳ ସ୍ତରରେ ପ୍ରକଳ୍ପଗୁଡ଼ିକର ସଠିକ କାର୍ଯ୍ୟାନ୍ୱୟନ ପାଇଁ ଏକ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଓମ୍ବାଡସି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ୨୦୨୨-୨୩ ବର୍ଷ ଲାଗି ଓମ୍ବାଡସିର ଆନୁଆଲ ରିପୋର୍ଟ, ସୂଚନା ପୁସ୍ତିକା ଏବଂ ସ୍ୱତନ୍ତ୍ର ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା।

ଓମ୍ବାଡସି ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ସରକାରୀ ଆଇଟିଆଇ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନର ନବୀକରଣ କରାଯାଉଛି। ଏହାସହ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି। ତା’ଛଡ଼ା ରାସ୍ତା ସଂଯୋଗୀକରଣ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହିତ ଲୋକଙ୍କ ଜୀବିକା ପାଇଁ ମାଛଚାଷ, ଛେଳି ଓ ବ୍ରଏଲର କୁକୁଡ଼ା ପାଳନ ଆଦିକୁ ପ୍ରୋତ୍ସାହନ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଉପକୃତ ହୋଇଥିବା ହିତାଧିକାରୀମାନଙ୍କୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଭିଡିଓକୁ ମୁଖ୍ୟ ଶାସନ ସଚିବ ଉନ୍ମୋଚନ କରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀଙ୍କ ସହ ଓମ୍ବାଡସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Tags: #OMBADC #BoardofDirectorsMeeting #GovtofOdisha #Odisha  

Comment