ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏକ୍‌ଜିଟ ପୋଲ୍ ମତ ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗୁଆ ବିଜେପି
  • କଂଗ୍ରେସ ସପକ୍ଷରେ ଯାଇପାରେ ତେଲଙ୍ଗନା ଓ ଛତିଶଗଡ଼
  • ମିଜୋରାମରେ ଦେଖିବାକୁ ମିଳିପାରେ ଝୁଲା ସରକାର

ଭାରତର ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ଗୁରୁବାର ତେଲେଙ୍ଗାନାରେ ଭୋଟଗ୍ରହଣ ହେବା ପରେ ସବୁ ରାଜ୍ୟର ନିର୍ବାଚନୀ ଫଳାଫଳ ସମ୍ପର୍କିତ ଏକ୍‌ଜିଟ ପୋଲ୍ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି। ଏହି ଏକ୍‌ଜିଟ ପୋଲ୍ ଅନୁସାରେ ସବୁ ରାଜ୍ୟରେ ପ୍ରମୁଖ ଦଳମାନଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ପ୍ରକାଶ ପାଇଛି, ଯାହା ଦେଶର ରାଜନୈତିକ ମହୋଲକୁ ଆହୁରି ସରଗରମ କରିଛି।

ଏକ୍‌ଜିଟ ପୋଲର ମତ ଅନୁସାରେ ରାଜସ୍ଥାନରେ ବିଜେପି ଆଗୁଆ ରହୁଥିବାବେଳେ ମଧ୍ୟପ୍ରଦେଶରେ କ୍ଷମତା ହାସଲ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଅନ୍ୟପଟେ ମିଜୋରାମରେ ଝୁଲା ସରକାର ହେବାକୁ ଯାଉଥିବା କିଛି ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ୍‌ଜିଟ ପୋଲରେ ଦେଖାଯାଉଛି।  

ସେହିପରି ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିବାର ସମ୍ଭାବନା ରହିଛି। ଖାସ କରି ତେଲେଙ୍ଗାନାରେ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଆଶା ରଖିଥିବା ବିଆରଏସର କେ ଚନ୍ଦ୍ରଶେଖର ରାଓଙ୍କୁ ଝଟକା ଲାଗିପାରେ ବୋଲି ଏକ୍‌ଜିଟ ପୋଲ୍ ମତରୁ ସୂଚନା ମିଳୁଛି।   

ରାଜସ୍ଥାନ

ରାଜସ୍ଥାନରେ ମୋଟ ୨୦୦ଟି ବିଧାନସଭା ଆସନ ଥିବାବେଳେ ୧୯୯ଟିରେ ଭୋଟଗ୍ରହଣ ହୋଇଥିଲା। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକ୍‌ଜିଟ ପୋଲ୍ ଅନୁସାରେ ଏଠାରେ ବିଜେପିକୁ ୮୦ରୁ ୧୦୦ଟି ଆସନ, କଂଗ୍ରେସକୁ ୧୦୦ରୁ ୧୦୬ଟି ଆସନ ମିଳିବାର ସମ୍ଭାବନା ରହିଛି । 

ସେହିପରି ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ ରାଜସ୍ଥାନରେ ବିଜେପି ୯୮ରୁ ୧୦୫ଟି ଆସନ, କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ। ସେହିପରି ଜନକି ବାତର ପୂର୍ବାନୁମାନ ଅନୁସାରେ ଏଠାରେ ବିଜେପି ୧୦୦ରୁ ୧୨୨ଟି ଆସନ, କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବାର ସମ୍ଭାବନା ରହିଛି।  

ମଧ୍ୟପ୍ରଦେଶ

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ କଡ଼ା ମୁକାବିଲା କରିଛନ୍ତି। ହେଲେ ଏଠାରେ ବିଜେପି ପୁଣିଥରେ ସରକାର କରୁଥିବାର ଅଧିକାଂଶ ଏକ୍‌ଜିଟ ପୋଲରେ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକ୍‌ଜିଟ ପୋଲ୍ ଅନୁସାରେ ଏଠାରେ ବିଜେପିକୁ ୧୪୦ରୁ ୧୬୨ଟି ଆସନ, କଂଗ୍ରେସକୁ ୭୦ରୁ ୯୦ଟି ଆସନ ମିଳିବାର ସମ୍ଭାବନା ରହିଛି । 

ସେହିପରି ‘ନ୍ୟୁଜ୍ ୨୪ ଟୁଡେଏସ୍ ଚାଣକ୍ୟ’ ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ୧୫୧ରୁ ୧୬୦ଟି ଆସନ, କଂଗ୍ରେସ ୭୪ରୁ ୮୬ଟି ଆସନ ଜିତିବ। ସେହିପରି ଜନକି ବାତର ପୂର୍ବାନୁମାନ ଅନୁସାରେ ଏଠାରେ ବିଜେପି ୧୦୦ରୁ ୧୨୩ଟି ଆସନ, କଂଗ୍ରେସ ୧୦୨ରୁ ୧୨୫ଟି ଆସନ ଜିତିବାର ସମ୍ଭାବନା ରହିଛି।  

ତେଲେଙ୍ଗାନା

ଗୁରୁବାର ସରିଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୬୪ ପ୍ରତିଶତ ମତଦାନ ହୋଇଛି। ଏଠାରେ ମୁଖ୍ୟତଃ କଂଗ୍ରେସ ଓ ବିଆରଏସ୍ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବିଭିନ୍ନ ଏକ୍‌ଜିଟ ପୋଲ୍ ମତରୁ ସାମ୍ନାକୁ ଆସିଛି। ଏହି ଦକ୍ଷିଣ ରାଜ୍ୟରେ ବିଜେପି କିଛି ଖାସ ପ୍ରଦର୍ଶନ କରିପାରି ନଥିବାବେଳେ କଂଗ୍ରେସ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି।  

‘ନ୍ୟୁଜ୍ ୨୪ ଟୁଡେଏସ୍ ଚାଣକ୍ୟ’ ସର୍ଭେ ଅନୁସାରେ ତେଲେଙ୍ଗାନାରେ କଂଗ୍ରେସକୁ ୬୨ରୁ ୮୦ଟି, ବିଆରଏସକୁ ୨୬ରୁ ୪୨ଟି ଆସନ ମିଳିବାର ସମ୍ଭାବନା ରହିଛି। ସେହିପରି ଜନକି ବାତର ଏକ୍‌ଜିଟ ପୋଲ୍ ଅନୁସାରେ ଏଠାରେ କଂଗ୍ରେସ ୪୮ରୁ ୬୪ଟି ଆସନ ଏବଂ ବିଆରଏସ୍ ୪୦ରୁ ୫୫ଟି ଆସନ ଜିତିବାର ସମ୍ଭାବନା ରହିଛି।  

ଛତିଶଗଡ଼

୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ୪୬ଟି ଆସନ ଜିତିଥିବା ଦଳ ସରକାର ଗଢ଼ିବା ପାଇଁ ଯୋଗ୍ୟ ହେବ। ତେବେ ଏଠାରେ ବିଜେପି ଓ କଂଗ୍ରେସ ମୁଖ୍ୟ ରାଜନୈତିକ ଦଳ ଥିବାବେଳେ କଂଗ୍ରେସର ସ୍ଥିତି ମଜବୁତ ଥିବା ବିଭିନ୍ନ ଏକ୍‌ଜିଟ ପୋଲ୍ ମତରୁ ପ୍ରକାଶ ପାଇଛି।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକ୍‌ଜିଟ ପୋଲ୍ ଅନୁସାରେ ଏଠାରେ କଂଗ୍ରେସକୁ ୪୦ରୁ ୫୦ଟି ଆସନ, ବିଜେପିକୁ ୩୬ରୁ ୪୬ଟି ଆସନ ମିଳିବାର ସମ୍ଭାବନା ରହିଛି। ଜନକି ବାତର ସର୍ଭେ ଅନୁସାରେ ଏଠାରେ କଂଗ୍ରେସ ୪୨ରୁ ୫୩ଟି ଆସନ ଏବଂ ବିଜେପି ୩୪ରୁ ୪୫ଟି ଆସନ ଜିତିବାର ସମ୍ଭାବନା ରହିଛି। ସେହିପରି ‘ନ୍ୟୁଜ୍ ୨୪ ଟୁଡେଏସ୍ ଚାଣକ୍ୟ’ ସର୍ଭେ ଅନୁସାରେ ଛତିଶଗଡ଼ରେ କଂଗ୍ରେସକୁ ୪୯ରୁ ୫୭ଟି ଓ ବିଜେପିକୁ ୩୩ରୁ ୪୧ଟି ଆସନ ମିଳିବାର ସମ୍ଭାବନା ରହିଛି।

ମିଜୋରାମ

ଏକ୍‌ଜିଟ ପୋଲର ମତ ଅନୁସାରେ ମିଜୋରାମ କ୍ଷମତାସୀନ ମିଜୋ ନାସନାଲ ଫ୍ରଣ୍ଟକୁ (ଏମଏନଏଫ) ଝଟକା ଲାଗିବାର ସମ୍ଭାବନା ରହିଛି। ଏଠାରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ଦଳ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗାଙ୍କ ଏମଏନଏଫ ସହ କଡ଼ା ମୁକାବିଲା କରିଛି। କିଛି ଏକ୍‌ଜିଟ ପୋଲରେ ଜେଡପିଏମ ମିଜୋରାମରେ ପରବର୍ତ୍ତୀ ସରକାର ଗଢ଼ୁଥିବାର ମଧ୍ୟ ଦର୍ଶାଯାଇଛି। ଅନ୍ୟପଟେ ଏଠାରେ ଝୁଲା ସରକାର ହେଉଥିବା କିଛି ସଂସ୍ଥାଙ୍କ ସର୍ଭେରେ କୁହାଯାଇଛି।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକ୍‌ଜିଟ ପୋଲ୍ ଅନୁସାରେ ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭା ନିର୍ବାଚନରେ ଜେଡପିଏମକୁ ୨୮ରୁ ୩୫ଟି ଓ ଏମଏନଏଫକୁ ମାତ୍ର ୩ରୁ ୭ଟି ଆସନ ମିଳିବାର ସମ୍ଭାବନା ରହିଛି। ସେହିପରି ‘ଜନକି ବାତ’ର ସର୍ଭେ ଅନୁସାରେ ଏଠାରେ ଜେଡପିଏମ ୧୫ରୁ ୨୫ଟି ଓ ଏମଏନଏଫ ମାତ୍ର ୧୦ରୁ ୧୪ଟି ଆସନ ଜିତିପାରେ।  

ଏବେ ଉପରୋକ୍ତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖ ରବିବାର ଦିନ ପ୍ରକାଶ ପାଇବ। ଆଗକୁ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଆସୁଥିବାରୁ ସବୁ ଦଳ ଏହିସବୁ ରାଜ୍ୟର ଫଳାଫଳ କ’ଣ ରହିବ ତାକୁ ଗୁରୁତ୍ଵର ଅନୁଧ୍ୟାନ କରୁଛନ୍ତି।   

Tags: #AssemblyElections #ExitPolls #Politics #India

Comment