ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାଦୀପ ବନ୍ଦରରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହେବା ସରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏହି ବେଆଇନ ନିଶା ଦ୍ରବ୍ୟର ଚୋରଚାଲାଣ ଉପରୁ ପରଦା ହଟାଇବା ପାଇଁ ଏବେ ତନାଘନା ଆରମ୍ଭ ହୋଇଛି। ତଦନ୍ତରେ ଭୁବନେଶ୍ୱର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମଧ୍ୟ ସାମିଲ ହୋଇଛି।
ତେବେ ଏହି କୋକେନ୍ କେଉଁଠୁ ଆସିଲା, ଜାହାଜରେ କେଉଁଠିକି ଚାଲାଣ ହେଉଥିଲା, ଏହାପଛରେ ଭାରତ କିମ୍ବା ବିଦେଶୀ ସ୍ମଗଲରଙ୍କ ହାତ ଅଛି କି ଆଦି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି।
ସେହିପରି ଏନସିବି ଓ କଷ୍ଟମସ ବିଭାଗ ପକ୍ଷରୁ ସମ୍ପୃକ୍ତ ଜାହାଜର କ୍ୟାପଟେନ ଓ ଅନ୍ୟ କର୍ମଚାରୀମାନଙ୍କୁ ପଚରାଉଚରା କରାଯାଉଛି। ଏହାଛଡ଼ା ଡଗ୍ ସ୍କ୍ୱାଡ୍ ଦ୍ଵାରା ସମ୍ପୂର୍ଣ୍ଣ ଜାହାଜର ଛାନଭିନ କରାଯାଉଛି। ଏଥିରେ ଜାହାଜ କର୍ମଚାରୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପାରାଦୀପ ବନ୍ଦରକୁ ଇଣ୍ଡୋନେସିଆରୁ ଆସିଥିବା ‘ଏମଭି ଦେବୀ ପାନାମା’ ନାମକ ଜାହାଜରୁ ଶୁକ୍ରବାର ୨୨ଟି ସନ୍ଦେହଜନକ ପ୍ୟାକେଟ ମିଳିଥିଲା। ପ୍ୟାକେଟରେ କିଛି ପାଉଡର ଭଳି ସାମଗ୍ରୀ ଥିବା କୁହାଯାଉଥିଲା। ପରେ ସମସ୍ତ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ୍ ଥିବା କଷ୍ଟମ୍ସ ଯାଞ୍ଚରୁ ଜଣାପଡ଼ିଥିଲା।
ଜାହାଜଟି ବୁଧବାର ପାରାଦୀପ ବନ୍ଦରର ଇଣ୍ଟରନାସନାଲ କାର୍ଗୋ ଟର୍ମିନାଲରେ ଲାଗିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା। ଏଥିରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ବନ୍ଦରର କ୍ରେନ୍ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ।
ଏହାପରେ ପୋଲିସ, ସିଆଇଏସଏଫ୍, କଷ୍ଟମ୍ସ ବିଭାଗ ଓ ଡଗ୍ ସ୍କ୍ୱାଡ ଉକ୍ତ ଜାହାଜରେ ଚଢ଼ଉ କରି କୋକେନ୍ ଜବତ କରିଥିଲେ।
Tags: #ParadeepPort #Cocaine #Ship #DrugSmuggling #Odisha