ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜାନୁଆରି ୨ ତାରିଖରୁ ଆରମ୍ଭ ହେଉଛି ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା। ଯୁକ୍ତ ୨ ବିଜ୍ଞାନ, କଳା ଓ ବଣିଜ୍ୟ ବିଭାଗର ବିଭିନ୍ନ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଏହା ଜାନୁଆରି ୧୨ ତାରିଖ ଯାଏଁ ଚାଲିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଯୁକ୍ତ ୨ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ (ଫିଜିକ୍ସ), ରସାୟନ ବିଜ୍ଞାନ (କେମେଷ୍ଟ୍ରି), ଉଦ୍ଭିଦ ବିଜ୍ଞାନ (ବଟାନି), ପ୍ରାଣୀ ବିଜ୍ଞାନ (ଜୁଲୋଜି), ଇଲେକ୍‌ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍ସ), ଭୂଗୋଳ, ଭୂତତ୍ତ୍ଵ ବିଜ୍ଞାନ (ଜିଓଲୋଜି) ଓ ଆଇଟି ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ।

ସେହିପରି କଳା ବିଭାଗର ଶିକ୍ଷା, ଆଇଟି, ମନୋବିଜ୍ଞାନ, ଇଣ୍ଡିଆନ୍‌ ମ୍ୟୁଜିକ୍‌, ହୋମ୍‌ ସାଇନ୍ସ, ପରିସଂଖ୍ୟାନ ଓ ଭୂଗୋଳ ବିଷୟ ଏବଂ ବାଣିଜ୍ୟ ବିଭାଗର ଆଇଟି ଓ କମ୍ପ୍ୟୁଟର ସାଇନ୍ସ ବିଷୟର ପ୍ରାକ୍ଟିକାଲ୍‌ ପରୀକ୍ଷା କରାଯିବ। ଏହାସହ ଇଣ୍ଟିଗ୍ରେଟେଡ୍‌ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ଏହି ଅବଧି ମଧ୍ୟରେ କରିବାକୁ ନିଷ୍ପତ୍ତି ହୋଇଛି।

ତେବେ ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ୨ ଘଣ୍ଟାର ସମୟ ଅବଧି ରହିଛି। ଅନ୍ୟପଟେ ୬୦, ୩୦ ଓ ୨୦ ମାର୍କ ପ୍ରାକ୍ଟିକାଲ୍‌ ପାଇଁ ୩ ଘଣ୍ଟା ଧାର୍ଯ୍ୟ କରାଯାଇଛି। ‌ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଲଗାଯିବାକୁ ବାଧ୍ୟତାମୂଳକ କରାଯାଇଛି।

ପ୍ରାକ୍ଟିକାଲ୍‌ ପରୀକ୍ଷା ପରେ ଫେବୃଆରି ୧୬ ତାରିଖରୁ ଯୁକ୍ତ ୨ ଥିଓରି ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ବାବଦରେ ସମ୍ପୂର୍ଣ୍ଣ ସୂଚନା ଆଗକୁ ଦିଆଯିବ ବୋଲି ସିଏଚଏସଇ ପକ୍ଷରୁ କୁହାଯାଇଛି।   

Tags: #PlusTwoExam #Practical #Theory #Science #Arts #Commerce #Education #CHSE #Odisha

Comment