ଓଡ଼ିଶାଲାଇଭ୍ ବ୍ୟୁରୋ

ଦୟା ନଦୀର ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏବେ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି। ଏଥିପାଇଁ ଭୁବନେଶ୍ୱର ଉପକଣ୍ଠରେ ଦୟା ନଦୀ ଓ ଗଙ୍ଗୁଆ ନାଳର ସଂଯୋଗ ସ୍ଥଳରେ ଆଧୁନିକ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଏନେଇ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦେଶ ଦେଇଛନ୍ତି।

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଭୁବନେଶ୍ଵରରେ ଗୁରୁବାର ଭି କେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ୱାଟ୍‌କୋ ପକ୍ଷରୁ ଏହି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହାଦ୍ଵାରା ସହରର ଦୂଷିତ ଜଳକୁ ବିଶୋଧନ କରି ଦୟା ନଦୀକୁ ଛଡ଼ାଯିବ।

ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ବାହାରୁଥିବା ଦୂଷିତ ଜଳକୁ ସ୍ଵେରେଜ ଲାଇନ୍‌ ସହିତ ସଂଯୋଗ କରିବା ବ୍ୟାଧତାମୂଳକ କରାଯାଇଛି। ଏହାସହ ସହରର ସବୁ ଘର ଯେପରି ସ୍ଵେରେଜ ଲାଇନ୍‌ ସହିତ ସଂଯୁକ୍ତ ହୋଇପାରିବ ସେ ଦିଗରେ କାମ କରିବା ପାଇଁ କୁହାଯାଇଛି।

ସେହିପରି ଭୁବନେଶ୍ୱରରେ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ ୱାଟ୍‌କୋ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବିଏମସି ପକ୍ଷରୁ ନିୟମିତ ଯାଞ୍ଚ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Tags: #DayaRiver #PollutionControl #WaterPollution #SweageTreatmentplant #Bhubaneswar

Comment