ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଚାଲିଛି ବିଜେପିର ମାନସ ମନ୍ଥନ। ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ତା’ର ନିଷ୍ପତ୍ତି କରିବେ ବିଜେପିର ପୁରୁଖା ନେତା। ଏଥିପାଇଁ ତିନି ରାଜ୍ୟରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି।

ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ଗାଦି ପାଇଁ ଚୟନ ହୋଇନାହାନ୍ତି ଉପଯୁକ୍ତ ଚେହେରା। ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ବାଛିବାକୁ ପୁରୁଖା ନେତାଙ୍କୁ ମିଳିଛି ଦାୟିତ୍ଵ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ଵଡେ ଓ ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେୟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚୟନ କରିବାର ଦାୟିତ୍ଵ ଦିଆଯାଇଛି।

ସେହିପରି ମଧ୍ୟପ୍ରଦେଶର ଦାୟିତ୍ଵ ମିଳିଛି ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ (ଓବିସି ମୋର୍ଚ୍ଚା) କେ. ଲକ୍ଷ୍ମଣ ଓ ରାଷ୍ଟ୍ରୀୟ ସଚିବ ଆଶା ଲାକ୍ରାଙ୍କୁ। ଏହା ସହିତ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ବନ୍ଦର, ଜାହଜ ଚଳାଚଳ, ଜଳପଥ ତଥା ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ କୁମାର ଗୌତମଙ୍କୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବାଛିବାକୁ ଦାୟିତ୍ଵ ମିଳିଛି।

ଆଗକୁ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେଉଁ ରାଜ୍ୟରେ କିଏ ଦଳକୁ ବଳ ଯୋଗାଇବ ତାକୁ ନେଇ ଚାଲିଛି ବିଜେପିର ଅଙ୍କକଷା। ରାଜସ୍ଥାନରେ ବସୁନ୍ଧରା ରାଜେ, ସାଂସଦ ଦିୟା କୁମାରୀ, ଓମ ବିର୍ଲା, ଭୂପେନ୍ଦ୍ର ଯାଦବ, ବାବା ବାଲକନାଥ, ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ରହିଛି।

ସେହିପରି ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ୱାନ, ପ୍ରହ୍ଲାଦ ପଟେଲ, ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, କୈଳାଶ ବିଜୟବର୍ଗୀୟଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ଜୋରଦାର ଚର୍ଚ୍ଚା ହେଉଛି। ଏହା ସହ ରମଣ ସିଂ, ରେଣୁକା ସିଂ, ଓପି ଚୌଧୁରୀ ଏବଂ ଛତିଶଗଡ଼ ରାଜ୍ୟ ବିଜେପି ଅଧ୍ୟକ୍ଷ ଅରୁଣ ରାଓ୍ଵଙ୍କ ନାଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ରହିଛି।

ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କର ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ କାହା ନାଁରେ ମୋହର ବାଜିବ ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Tags: #Politics #IndiaPolitics #BJP #CMCandidate #BJPObservers

LEAVE A REPLY

Please enter your comment!
Please enter your name here