ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-ୱାନକୁ ମିଳିଛି ବଡ଼ ସଫଳତା। ଏଲ୍-ୱାନ ପଏଣ୍ଟକୁ ଯାତ୍ରା କରୁଥିବା ଏହି ସ୍ପେସକ୍ରାଫ୍ଟ ସୂର୍ଯ୍ୟର ପ୍ରଥମ ଫଟୋ ପଠାଇଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଆଦିତ୍ୟ ଏଲ୍-ୱାନରେ ଲାଗିଥିବା ସୋଲାର ଅଲ୍ଟ୍ରାଭାଓଲେଟ ଇମେଜିଂ ଟେଲିସ୍କୋପ ସୂର୍ଯ୍ୟର ଫୁଲ୍ ଡିସ୍କ ଫଟୋ ଉଠାଇଛି। ଏହି ସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ୱେଭଲେନ୍ଥ ମଧ୍ୟରେ ରହିଛି । ଏଥିରେ ସୂର୍ଯ୍ୟକୁ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯାଉଛି।

ଫଟୋରେ ସୂର୍ଯ୍ୟର ଫଟୋସ୍ଫିୟର, ବାହ୍ୟ ବାୟୁ ମଣ୍ଡଳ କୋରୋନା ଏବଂ କ୍ରୋମୋସ୍ଫିୟରର ବିବରଣୀ ଦେଖାଯାଉଛି। ଏହାସହ ସନ୍‌ ସ୍ପଟ୍, ବ୍ଲାକ ସ୍ପଟ୍‌, ସୂର୍ଯ୍ୟର ଅନ୍ୟାନ୍ୟ କ୍ଷେତ୍ରର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଫଟୋ ବୈଜ୍ଞାନିକ ଅଧ୍ୟୟନ ପାଇଁ ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟକୁ ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମେ ୫ଟି କକ୍ଷପଥରେ ପୃଥିବୀ ଚାରିପଟେ ଘୂରିବାପରେ ଲାଗରେଞ୍ଜ ବା ଏଲ୍-ୱାନ ପଏଣ୍ଟ ଅଭିମୁଖେ ଯାଇଥିଲା।

ସ୍ପେସକ୍ରାଫ୍ଟଟିକୁ ଏଲ୍-ୱାନ ପଏଣ୍ଟରେ ପହଞ୍ଚିବାକୁ ପ୍ରାୟ ୧୨୫ ଦିନର ସମୟ ଲାଗିବ ବୋଲି ଧାର୍ଯ୍ୟ ହୋଇଥିଲା। ତେବେ ୨୦୨୪ ଜାନୁଆରି ୭ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ଆକଳନ କରାଯାଇଛି।  

Tags: #ISRO #AdityaL1Mission #StudyofSun #SpaceExploration #India

LEAVE A REPLY

Please enter your comment!
Please enter your name here