ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦର ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଗୁରୁବାର ଉଭୟ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏହି ହଙ୍ଗାମା ତଥା ନାରାବାଜିରେ ଗୃହ କାର୍ଯ୍ୟ ବ୍ୟାହତ ହେବା ଅଭିଯୋଗରେ ୧୫ ଜଣ ବିରୋଧୀ ସାଂସଦଙ୍କୁ ଅବଶିଷ୍ଟ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି। ସେମାନଙ୍କ ମଧ୍ୟରେ ଲୋକସଭାର ୧୪ ଜଣ ସାଂସଦ ରହିଛନ୍ତି।

ଗୁରୁବାର ଅଧିବେଶନ ଆରମ୍ଭରୁ ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ଗୃହମନ୍ତ୍ରୀଙ୍କ ଜବାବ ରଖିବା ଦାବି ନେଇ ବିରୋଧୀ ସାଂସଦମାନେ ଅଡ଼ି ବସିଥିଲେ। ଏଥିପାଇଁ ପ୍ରଥମେ ଲୋକସଭାକୁ ଅପରାହ୍ଣ ୨ଟା ଯାଏଁ ମୁଲତବୀ କରାଯାଇଥିଲା।

ଏହାପରେ ଲୋକସଭାର କାର୍ଯ୍ୟ ଆରମ୍ଭ ହେବାପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହ କାର୍ଯ୍ୟ ବ୍ୟାହତ କରିବା ଅଭିଯୋଗରେ କଂଗ୍ରେସର ୫ ଜଣ ସାଂସଦଙ୍କୁ ଅବଶିଷ୍ଟ ଅଧିବେଶନରୁ ନିଲମ୍ବନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ପ୍ରଥମେ କଂଗ୍ରେସ ସାଂସଦ ଟି.ଏନ ପ୍ରତାପନ, ହିବି ଇଡେନ, ଏସ୍ ଜୋଥିମଣି, ରାମ୍ୟା ହରିଦାସ, ଡିନ କୁରିଆକୋସଙ୍କୁ ଲୋକସଭା ବାଚସ୍ପତି ଓମ ବିର୍ଲା ନିଲମ୍ବନ କରିଥିଲେ।

ତେବେ ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଥମିନଥିଲା। ପରେ ପୁଣି ଆହୁରି ୯ ଜଣ ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ କଂଗ୍ରେସର ମନକିମ ଟାଗୋର, ବେନୀ ବେହନନ, ମହମ୍ମଦ ଜାବେଦ, ବି.କେ. ଶ୍ରୀକନ୍ଦନ।

ସେହିପରି ସିପିଆଇ ସାଂସଦ କେ.ସୁବ୍ରମଣ୍ୟମ ଓ ପିଆର ନଟରାଜନ, ସିପିଆଇଏମ ସାଂସଦ ଏସ. ଭେଙ୍କଟେଶନ ଏବଂ ଡିଏମକେ ସାଂସଦ କନିମୋଝି ଓ ଏସଆର ପାର୍ଥିବନଙ୍କୁ ମଧ୍ୟ ଅବଶିଷ୍ଟ ଅଧିବେଶନରୁ ନିଲମ୍ବନ କରାଯାଇଛି।

ଅନ୍ୟପଟେ ରାଜ୍ୟସଭାରେ ହଟ୍ଟଗୋଳ କରିବା ଅଭିଯୋଗରେ ଟିଏମସି ସାଂସଦ ଡେରିକ୍ ଓ’ ବ୍ରାଏନଙ୍କୁ ଉପରାଷ୍ଟ୍ରପତି ଜଗଦୀପ ଧନଖଢ଼ ଅଧିବେଶନରୁ ନିଲମ୍ବନ କରିଥିଲେ।

Tags: #SansadBhaban #SecurityBreach #LokSabha #RajyaSabha #Delhi #India

Comment