ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦ ଭବନ ସୁରକ୍ଷା ଭଙ୍ଗ ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏନେଇ ସଂସଦର ସୁରକ୍ଷା ଦାୟିତ୍ଵରେ ଥିବା ୮ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଲୋକସଭା ସେକ୍ରେଟାରିଏଟ୍ ପକ୍ଷରୁ କର୍ମଚାରୀମାନଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଘଟଣାର ତଦନ୍ତ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ଵତନ୍ତ୍ର କମିଟି ଗଠନ କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗଠିତ କମିଟିର ନେତୃତ୍ୱ ସିଆରପିଏଫ୍ ଡିଜି ଅନୀଶ ଦୟାଲ ସିଂ ନେବେ। ଏଥିରେ ଅନ୍ୟ ସୁରକ୍ଷା ସଂସ୍ଥାର ଅଧିକାରୀ ଓ ବିଶେଷଜ୍ଞମାନେ ସାମିଲ ରହିବେ। ଏହି କମିଟି ସଂସଦ ସୁରକ୍ଷା ତ୍ରୁଟିର କାରଣ ଖୋଜିବ, କେଉଁଠି ଭୁଲ୍ ରହିଲା ତାହା ନିର୍ଦ୍ଧାରଣ କରିବ। ଶେଷରେ ସୁରକ୍ଷା ବ୍ୟବସ୍ଥା ସଂପର୍କିତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବ।

ଅନ୍ୟପଟେ ସୁରକ୍ଷା ଭଙ୍ଗ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ସାଗର ଶର୍ମା, ଡି ମନୋରଞ୍ଜନ, ନୀଲମ ଦେବୀ, ଅମୋଲ ସିନ୍ଦେ, ଲଳିତ ଝା ଏବଂ ବିଶାଲ ଶର୍ମା। ବୁଧବାର ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଷଷ୍ଠ ଅଭିଯୁକ୍ତ ବିଶାଲ ଶର୍ମାଙ୍କୁ ଗୁରୁଗ୍ରାମରୁ ଦିଲ୍ଲୀ ପୋଲିସ ଗିରଫ କରିଛି।

ସବୁ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଏବଂ ଆଇପିସିର ଧାରା ୧୨୦ବି ଓ ୪୫୨ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହାସହ ସମସ୍ତଙ୍କୁ ଦିଲ୍ଲୀ ପୋଲିସର ସ୍ପେସାଲ ସେଲକୁ ପଠାଯାଇଛି। ଗୁରୁବାର ସେମାନଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହଜାର କରାଯିବ।

ସେହିପରି ବୁଧବାରର ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସଂସଦ ଭବନକୁ ଆସୁଥିବା ସବୁ ବ୍ୟକ୍ତିଙ୍କର ଭଲଭାବେ ଯାଞ୍ଚ କରାଯାଉଛି। ଏହାସହ ସଂସଦ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟାକୁ ବଢ଼ାଯାଇଛି। ସାଂସଦମାନଙ୍କ ପକ୍ଷରୁ ଦିଆଯାଉଥିବା ଭିଜିଟର୍ସ ପାସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି।

ଅନ୍ୟପଟେ ଏହି ମାମଲାରେ ଏବେ ରାଜନୀତି ଜୋର ଧରିଛି। ଏନେଇ ଗୁରୁବାର ସଂସଦର ଉଭୟ ଗୃହରେ ବିରୋଧୀ ସାଂସଦମାନେ ପ୍ରବଳ ହଙ୍ଗାମା କରିଛନ୍ତି। ଘଟଣା ବାବଦରେ ସଦନରେ ଗୃହମନ୍ତ୍ରୀ ଜବାବ ରଖନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଦିନ ୨ଟା ଯାଏଁ ମୁଲତବୀ କରାଯାଇଛି।   

Tags: #SansadBhaban #SecurityBreach #LokSabha #Delhi #India

LEAVE A REPLY

Please enter your comment!
Please enter your name here