ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ବେଆଇନ ଭାବେ ଗଞ୍ଜେଇ ଚଲାଣ କରାଯାଉଥିବା କାରକୁ ଜବତ କରିଛି କୋରାପୁଟ ଜିଲ୍ଲା ଲମତାପୁଟ ଥାନା ପୋଲିସ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।

କୋରପୁଟ ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ଲମତାପୁଟ ପୋଲିସ ଖବର ପାଇଥିଲା। ଚାଲାଣକାରୀଙ୍କୁ ଧରିବା ପାଇଁ ପୋଲିସ କଡ୍ରି ଗାଁ ନିକଟରେ ଚେକିଂ କରୁଥିଲା। ଗୁରୁବାର ଦିନ ଚେକିଂ ଚାଲିଥିବା ସମୟରେ ଜାଲାପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ବ୍ୟାରିକେଡ ଭାଙ୍ଗି ଚାଲିଯାଥିଲା। ଏହା ପରେ ଏହି କାରର ପିଛା କରିଥିଲା ପୋଲିସ। ପୋଲିସକୁ ଦେଖି ସମ୍ପୃକ୍ତ କାରର ଡ୍ରାଇଭର ଲିମାପୁଟ ଗ୍ରାମ ପାଖ ଜଙ୍ଗଲ ନିକଟରେ କାରଟିକୁ ଛାଡ଼ି ଚମ୍ପଟ ମାରିଥିଲା।

ପୋଲିସ କାରଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ପ୍ରାୟ ୯୦ କେଜି ଗଞ୍ଜେଇ ବାହାରି ଥିଲା। ଏହି ଗଞ୍ଜେଇର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଜବତ କାରର ନମ୍ବର ଆଧାରରେ ଗାଡ଼ି ମାଲିକଙ୍କ ବିରୋଧରେ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #Ganja #IllegalGanjaSupply #Koraput #LamtaputPolice

Comment