ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା କମିଛି। ଶୁକ୍ରବାର ରାତିରେ ଓଡ଼ିଶାର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଏହାସହ ଅନେକ ସ୍ଥାନରେ କୁହୁଡ଼ି ପଡ଼ିଥିବାର ଦେଖିବାକୁ ମିଳିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି। ଆହୁରି କିଛି ଦିନ ଯାଏଁ ରାଜ୍ୟରେ ଶୀତଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଶୁକ୍ରବାର ରାତିରେ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୮.୩ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଜି.ଉଦୟଗିରିରେ ୮.୪ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, କୋରାପୁଟରେ ୯.୫ ଡିଗ୍ରୀ, ଭଦ୍ରକର ରାଣୀତାଲରେ ୯.୬ ଡିଗ୍ରୀ ଏବଂ ରାଉରକେଲାରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଅନ୍ୟପଟେ ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଟ୍ଵିନସିଟିର ତାପମାତ୍ରା ୧୩ ଡିଗ୍ରୀକୁ ଖସିଛି। ଶୁକ୍ରବାର ରାତିରେ କଟକର ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବାବେଳେ ଭୁବନେଶ୍ଵରର ତାପମାତ୍ରା ୧୩.୨ ଡିଗ୍ରୀ ରେକର୍ଡ କରାଯାଇଛି।
ତେବେ ଥଣ୍ଡା ଅଧିକ ପଡ଼ୁଥିବାରୁ ଏହା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ରାତିରେ ଓ ସକାଳେ ନିଆଁ ଜଳି ବସୁଥିବା ଦେଖିବାକୁ ମିଳୁଛି। ସେହିପରି କୁହୁଡ଼ି ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ଅସୁବିଧା ହେଉଛି।
Tags: #ColdWave #Winter #NightTemperature #WeatherUpdates #MCBBSR #Odisha

















