ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜାରି ରହିଛି ଶୀତଲହରୀ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମିବା ସହ ଶୀତ ବଢ଼ିବାରେ ଲାଗିଛି। ରବିବାର ରାତିରେ ଓଡ଼ିଶାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ଶୀତ ସହ ଘନ କୁହୁଡ଼ି ହେଉଥିବା ଦେଖିବାକୁ ମିଳୁଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟକୁ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବୋହୁଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଡିସେମ୍ବର ୨୦ ଓ ୨୧ ତାରିଖରେ ଓଡ଼ିଶାରେ ତାପମାତ୍ରା ଚଳିତବର୍ଷର ସର୍ବନିମ୍ନ ସ୍ତରକୁ ଖସିବାର ସମ୍ଭାବନା ରହିଛି।

ରବିବାର ରାତିରେ ଜି.ଉଦୟଗିରି ଓ କିରେଇରେ ୮ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ୮.୬ ଡିଗ୍ରୀ, ଅନୁଗୁଳ, କେନ୍ଦୁଝର, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ, ଭଦ୍ରକର ରାଣୀତାଲରେ ୯.୬ ଡିଗ୍ରୀ ଏବଂ ସୁନ୍ଦରଗଡ଼ ଓ ରାଉରକେଲାରେ ୯.୮ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି।  

ସେହିପରି ଟ୍ଵିନସିଟିରେ ମଧ୍ୟ ଦୁଇଦିନ ହେବ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହୁଛି। ରବିବାର ରାତିରେ ଉଭୟ କଟକ ଓ ଭୁବନେଶ୍ୱରରେ ୧୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ଥଣ୍ଡା ଅଧିକ ପଡ଼ୁଥିବାରୁ ଏହା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏଥିରୁ ରକ୍ଷାପାଇବା ପାଇଁ ଲୋକେ ରାତିରେ ଓ ସକାଳେ ନିଆଁ ଜଳି ବସୁଥିବା ଦେଖିବାକୁ ମିଳୁଛି। ସେହିପରି କୁହୁଡ଼ି ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ଅସୁବିଧା ହେଉଛି।

Tags: #ColdWave #Winter #NightTemperature #WeatherUpdates #MCBBSR #Odisha

LEAVE A REPLY

Please enter your comment!
Please enter your name here