ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଟ୍ରାନ୍ସଫର୍ମର ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୋଲିସ। ଏହି ଗ୍ୟାଙ୍ଗରେ ସାମିଲ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଗୁଣ୍ଡୁରିବିଡ଼ା ଗ୍ରାମର ପ୍ରବୀଣ ପ୍ରଧାନ, ଚାରିଛକର ଜଗନ୍ନାଥ ଜେନା, ପୁରୁଣାକଟକର ଭିକାରୀ ସାହୁ ଓ ବୌଦ୍ଧ ଥାନା ଅଞ୍ଚଳର ପ୍ରବୀଣ ପ୍ରଧାନ।
ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ, ଚୋରିରେ ବ୍ୟବହୃତ ଏକ ଗାଡ଼ି ଓ ଗୋଟିଏ ଟ୍ରାନ୍ସଫର୍ମର ଜବତ କରାଯାଇଛି। ଅଭିଯୁକ୍ତମାନେ ୮ଟି ଟ୍ରାନ୍ସଫର୍ମର ବିକ୍ରି କରିଥିବା ପୋଲିସ ଆଗରେ ମାନିଛନ୍ତି।
ପୁରୁଣାକଟକ ଥାନା ଅଞ୍ଚଳରୁ ଗତ କିଛିଦିନ ହେବ ଲଗାତର ଭାବେ ୯ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିଲା। ଏହାକୁ ନେଇ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଚୋରଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କରିଥିଲା ପୋଲିସ। ବିଭିନ୍ନ ସ୍ଥାନରେ ଖୋଳତାଡ଼ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁରୁଣାକଟକ ଥାନା ପୋଲିସ ସଫଳ ହୋଇଥିଲା।
Tags: #Boudh #TransformerSteelingCase #FourArrested #Odisha #BoudhPolice