ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଓଡ଼ିଶାରେ ବଢ଼ୁଛି ଶୀତ। ଅଧିକାଂଶ ଅଞ୍ଚଳରେ ପ୍ରବଳ ଥଣ୍ଡାରେ ଥରୁଛନ୍ତି ରାଜ୍ୟବାସୀ। ମଙ୍ଗଳବାର ରାତିରେ ଓଡ଼ିଶାର ୧୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ୫ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଫୁଲବାଣୀରେ ୭ ଡିଗ୍ରୀ, ସୁନ୍ଦରଗଡ଼ର କିରେଇରେ ୭.୫ ଡିଗ୍ରୀ, ଅନୁଗୁଳ ଓ କୋରାପୁଟରେ ୮ ଡିଗ୍ରୀ, ସେମେଳିଗୁଡ଼ାରେ ୮.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ, କେନ୍ଦୁଝର ଓ ରାଉରକେଲାରେ ୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ସୁନ୍ଦରଗଡ଼ରେ ୮.୮ ଡିଗ୍ରୀ, ଭାବନୀପାଟଣାରେ ୮.୯ ଡିଗ୍ରୀ, ଭଦ୍ରକର ରାଣୀତାଲରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୨ ଡିଗ୍ରୀ ଏବଂ ସୋନପୁରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।   

ଅନ୍ୟପଟେ ଟ୍ଵିନସିଟିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରହିଥିଲା। ମଙ୍ଗଳବାର ରାତିରେ ଉଭୟ କଟକ ଓ ଭୁବନେଶ୍ୱରରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବୋହୁଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆହୁରି ୨ରୁ ୩ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ଥିବାବେଳେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

Tags: #ColdWave #Winter #NightTemperature #WeatherUpdates #MCBBSR #Odisha

Comment