ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ଦିନଠାରୁ ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ କମିବ, କିନ୍ତୁ କୁହୁଡ଼ି ବଢ଼ିବ। ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଗତ ସପ୍ତାହେ ହେଲା ଅସହ୍ୟ ଶୀତରେ ଥରୁଥିଲେ ରାଜ୍ୟବାସୀ। ଶୁକ୍ରବାର ଦିନଠାରୁ ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ କମିବ। ଶନିବାରଦିନଠାରୁ ପ୍ରବଳ କୁହୁଡ଼ି ପାଇଁ ଚେତାବେନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଡିସେମ୍ବର ୨୨ ତାରିଖ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ଗୋଟିଏରୁ ଦୁଇଟି ସ୍ଥାନରେ ୨୦୦ ମିଟରୁ କମ ରହିବା ସହ ଘନକୁହୁଡ଼ି ସମ୍ଭାବନା ରହିଛି। ଉପକୂଳ ଜିଲ୍ଲା ସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଡିସେମ୍ବର ୨୩ରୁ ୨୪ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧାମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ଘନକୁହୁଡ଼ି ପାଇଁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଗୁରୁବାର ରାତିରେ ଜି.ଉଦୟଗିରିର ସର୍ବନିମ୍ନ ରାତି ତାପମାତ୍ରା ୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସେମିଳିଗୁଡ଼ାରେ ୫.୬ ଡିଗ୍ରୀ, ଫୁଲବାଣୀରେ ୬ ଡିଗ୍ରୀ, କିରେଇରେ ୭.୧ ଡିଗ୍ରୀ, କୋରାପୁଟରେ ୭.୭ ଡିଗ୍ରୀ, କେନ୍ଦୁଝରରେ ୭.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ, ଅନୁଗୁଳ ଓ ଭବାନୀପାଟଣାରେ ୮.୬ ଡିଗ୍ରୀ ଓ ରାଉକେଲାରେ ୮.୭ ଡିଗ୍ରୀ ରେକର୍ଡ କରାଯାଇଛି।
ଏହା ସହ ସୁନ୍ଦରଗଡ଼ ଏବଂ ନବରଙ୍ଗପୁରରେ ରାତି ତାପମାତ୍ରା ସର୍ବନିମ୍ନ ୯ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସୋନପୁରରେ ୯.୩ ଡିଗ୍ରୀ, ଝାରସୁଗୁଡ଼ା ଏବଂ ରାଣୀତାଲରେ ୯.୪ ଡିଗ୍ରୀ ଏବଂ ଚିପିଲିମାରେ ୯.୮ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।
Tags: #Weather #WheatherUpdates #FogWarning #ColdWase #Odisha