ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ପାତ ନଗରୀ ରାଉରକେଲାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ହଇଜା। ଶୁକ୍ରବାର ଦିନ ହଇଜା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ପାଓ୍ଵାରହାଉସ ରୋଡର ପଙ୍କଜ ମଣ୍ଡଳ। ଏକ ଘରୋଇ ହସ୍ପିଟାଲରେ ପଙ୍କଜଙ୍କର ମୃତ୍ୟୁ ହୋଇଛି।
ବୁଧବାର ଦିନ ସ୍ଵାସ୍ଥ୍ୟ ବିଭାଗ କମିଶନର ତଥା ସଚିବ ଶାଲିନୀ ପଣ୍ଡିତ ଏବଂ ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସହ ସ୍ଵାସ୍ଥ୍ୟ ବିଭାଗର ୬ ଜଣିଆ ଟିମ ରାଉରକେଲା ଆସି ଗ୍ରାଉଣ୍ଡରୁ ସ୍ଥିତି ପରିଖିଥିଲେ। ଝାଡ଼ାବାନ୍ତି ବ୍ୟାପିବାର କାରଣ ଜାଣିବାକୁ ଗୁରୁବାର ଦିନ କଟକ ଏସସିବିର ୪ ଜଣିଆ ଡାକ୍ତରୀ ଦଳ ଏବଂ ଭୁବନେଶ୍ଵର ଆରଏମଆରସିର ଦୁଇ ଜଣିଆ ବୈଜ୍ଞାନିକ ରାଉରକେଲାରେ ପହଞ୍ଚିଥିଲେ।
ରାଉରକେଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏହାକୁ ନେଇ ସହରରେ ଏକ ପ୍ରକାର ଆତଙ୍କ ଦେଖିବାକୁ ମିଳୁଛି। ବିଶେଷ ସହରର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନୀ, ବାସନ୍ତୀ କଲୋନୀ, ପାନପୋଷ ବାଲୁଘାଟ ଆଦି ଅଞ୍ଚଳରେ ସଂକ୍ରମଣ ବଢ଼ୁଛି। ବିଭିନ୍ନ କଲୋନୀ ଏବଂ ବସ୍ତିଗୁଡ଼ିକରେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଯାଉଛି।
Tags: #Rourkela#Cholera #Diarrhea #Death #Odisha #Health