ଓଡ଼ିଶାଲାଇଭ୍ ବ୍ୟୁରୋ

“ଭଲ ପାଠପଢ଼ି, ବାପା ମା’ଙ୍କ ସ୍ଵପ୍ନକୁ ସାକାର କର। ନିଜ ଭିତରେ ରହିଥିବା ଅନ୍ନ୍ୟ ପ୍ରତିଭାକୁ ଚିହ୍ନିବାର ଆବଶ୍ୟକ ରହିଛି। ନିଜ ପ୍ରତିଭା ପ୍ରଦର୍ଶନ ଲାଗି ସରଗି ଫୁଲ ବହୁତ ଭଲ ସୁଯୋଗ”, ଲୋକସେବା ଭବନ କନଭେନ୍ସନ ହଲଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଜାତୀୟସ୍ତରୀୟ ସରଗି ଫୁଲ ମହୋତ୍ସବରେ ଯୋଗଦେଇ ଏହିଭଳି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ ଭୁବନେଶ୍ଵରରେ ଥିବା ବିଭିନ୍ନ ଐତିହାସିକ ସ୍ଥାନ ଏବଂ ପର୍ଯ୍ୟଟନସ୍ଥଳ ବୁଲି ଦେଖୁଛନ୍ତି। ଏହା ଦ୍ଵାରା ସେମାନଙ୍କର ଜ୍ଞାନ ଏବଂ ଅଭିଜ୍ଞତା ବଢ଼ୁଛି। ଜୀବନରେ ସଫଳ ହେବା ପାଇଁ ଶିକ୍ଷା ହେଉଛି ସର୍ବଶ୍ରେଷ୍ଠ ମାଧ୍ୟମ। ନଜ ପ୍ରତିଭାକୁ ଚିହ୍ନି ସେହି ରାସ୍ତାରେ ଆଗେଇ ଚାଲିଲେ ନିଶ୍ଚୟ ସଫଳତା ମିଳିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜନଜାତି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ସେମାନଙ୍କ ଲାଗି କମ୍ପୁଟର ଶିକ୍ଷା, ସ୍ଵାସ୍ଥ୍ୟ ପରୀକ୍ଷା ଏବଂ ମାତୃଭାଷାରେ ଶିକ୍ଷାଦାନ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ସ୍କୁଲକୁ ଘର ଏବଂ ସହପାଠୀଙ୍କୁ ପରିବାର ସଦସ୍ୟଙ୍କ ସହ ତୁଳନା କରିବା ସହ ଏହି ଅବସରରେ ପୁରସ୍କୃତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା ଅନନ୍ୟ ପ୍ରତିଭାର ବିକାଶ ଲାଗି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତିବର୍ଷ ସରଗି ଫୁଲ ମହୋତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି ସମାରୋହକୁ ଆହୁରି ବ୍ୟାପକ କରିବା ପାଇଁ ଦୁଇଟି ଜୋନରେ ଆୟୋଜନ କରାଯାଇଥିଲା।             

ପ୍ରଥମ ଜୋନ ସୁନ୍ଦରଗଡ଼ ଜିଲ୍ଲାର ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଏଠାରେ ୧୫ଟି ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଭାଗ ନେଇ ଡିସେମ୍ବର ୬ ଓ ୮ ତାରିଖରେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ।

ସେହିପରି ଗଜପତି ଜିଲ୍ଲାର ରାୟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଦ୍ଵିତୀୟ ଜୋନସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଠାରେ ଅନ୍ୟ ୧୫ଟି ଜିଲ୍ଲାର ଛାତ୍ରଛାତ୍ରୀ ଡିସେମ୍ବର ୧୨ ଓ ୧୪ ତାରିଖରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।  

ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ସରଗି ଫୁଲ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଥିଲେ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକା କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, “ପିଲାଙ୍କ ପ୍ରତିଭା ବିକାଶ ପାଇଁ ସରଗି ଫୁଲ ଭଲ କାର୍ଯ୍ୟକ୍ରମ। ଏହିଭଳି କାର୍ଯ୍ୟକ୍ରମ ଆଗକୁ କରାଯିବା ଆବଶ୍ୟତା ରହିଛି।”

ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ସର୍ବଦା ଉଦ୍ୟମ କରିଆସୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସଚିବ ରୁପା ରୋଶନ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, “ପିଲାଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ପାଇଁ ଗତ ୧୪ ବର୍ଷ ଧରି ସରଗି ଫୁଲ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚଳିତ ବର୍ଷ ପ୍ରଥମ ଥର ଲାଗି ଜୋନସ୍ତରରେ କାର୍ଯ୍ୟକ୍ରମ କରାଯାଇ ରାଜ୍ୟସ୍ତରରେ ପୁରସ୍କାର ପ୍ରଦାନ କରାଯାଉଛି।”

ଛାତ୍ରଛାତ୍ରୀଙ୍କ ଆଧୁନିକ ଶିକ୍ଷା ପାଇଁ ୩୦୦ଟି ଆଇଟିସି ଏବଂ ଟିଙ୍କରିଂ ଲ୍ୟାବ କରାଯିବାକୁ ଲକ୍ଷ୍ୟ ରହିଛି। ସେଥିମଧ୍ୟରୁ ୧୦୦ଟି ଲ୍ୟାବ ପ୍ରସ୍ତୁତ ହୋଇ ସାରିଥିବା ସେ ସୂଚନା ଦେଇଛନ୍ତି।

ଶେଷରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #StateLevelSargiful #Festival #ZonalSargiful #Odisha

LEAVE A REPLY

Please enter your comment!
Please enter your name here