ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶୀତ ପ୍ରକୋପ ଜାରି ରହିଛି। ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ।
ଡିସେମ୍ବର ୨୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। ଏହି ଅଞ୍ଚଳଗୁଡ଼ିକରେ ଦୃଶ୍ୟମାନ ଦୂରତା ୨୦୦ ମିଟରୁ କମ ରହିବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ଯାଏଁ ଘନ କୁହୁଡ଼ି ନେଇ କେତେକ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ଶନିବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ। ଏହା ଦ୍ଵାରା ପ୍ରବଳ ଶୀତରୁ ସାମାନ୍ୟ ଆଶ୍ଵସ୍ତି ମିଳିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ବାୟୁମଣ୍ଡଳର ଉପରି ଭାଗରେ ପଶ୍ଚିମ ନିମ୍ନ ଚେପ ରେଖା ସହ ଜଡ଼ିତ ବାୟୁ ଚଳାଚଳ କରିବା ଦ୍ଵରା ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପଗ ମେଘୁଆ ରହିବ। କିନ୍ତୁ ବର୍ଷା ହେବାର କୌଣସି ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି।
ଶୁକ୍ରବାର ଜି.ଉଦୟଗିରିରେ ରାତି ତାପମାତ୍ରା ସର୍ବନିମ୍ନ ୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ୭ ଡିଗ୍ରୀ, କିରେଇରେ ୭.୭ ଡିଗ୍ରୀ, ସେମିଳିଗୁଡ଼ା ଓ ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ, କେନ୍ଦୁଝରରେ ୮.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୮.୯ ଡିଗ୍ରୀ, ଅନୁଗୁଳ ଏବଂ ନବରଙ୍ଗପୁରରେ ୯ ଡିଗ୍ରୀ, ଭବାନୀପାଟଣାରେ ୯.୫ ଡିଗ୍ରୀ, କଟକରେ ୧୪.୪ ଡିଗ୍ରୀ ଏବଂ ଭୁବନେଶ୍ଵରରେ ୧୪.୮ ଡିଗ୍ରୀ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି।
Tags: #Weather #WheatherUpdates #FogWarning #ColdWase #Odisha