ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କ ପରଲୋକ ଘଟିଛି। ଶନିବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳେ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।
ଏମ ଏମ ରାଜେନ୍ଦ୍ରନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ।
୧୯୯୯ ମସିହା ନଭେମ୍ବର ମାସରେ ମହାବାତ୍ୟାର ଠିକ୍ ପରେ ଏମ ଏମ ରାଜେନ୍ଦ୍ରନ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସମୟରେ ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବାରେ ନିଜର ପ୍ରଶାସନିକ ଦକ୍ଷତାକୁ ସେ ବହୁତ ଭଲ ଭାବେ ପ୍ରଦର୍ଶନ କରିଥିଲେ।
ଏମ ଏମ ରାଜେନ୍ଦ୍ରନଙ୍କ ଜନ୍ମ ୧୯୩୫ ମସିହା ଏପ୍ରିଲ ୧୨ ତାରିଖରେ ତତକାଳୀନ ମାଦ୍ରାସ ରାଜ୍ୟରେ ହୋଇଥିଲା। ସେ ପିଲାଦିନୁ ପାଠପଢ଼ାରେ ବେଶ୍ ଭଲ ଥିଲେ। ଗ୍ରାଜୁଏସନ ପରେ ସେ ୧୯୫୭ ମସିହାରେ ଜଣେ ଆଇଏଏସ୍ ଅଧିକାରୀ ହୋଇଥିଲେ। ସେ ଉକ୍ତ ବ୍ୟାଚର ଟପ୍ପର ମଧ୍ୟ ଥିଲେ।
୧୯୬୪ ମସିହାରେ ତାମିଲନାଡୁର ରାମନାଥପୁରମର ଜିଲ୍ଲାପାଳ ଥିବା ସମୟରେ ଏମ ଏମ ରାଜେନ୍ଦ୍ରନଙ୍କୁ ପ୍ରାକୃତିକ ବିପର୍ଜୟର ମୁକବିଲା କରିବାର ଅଭିଜ୍ଞତା ମିଳିଥିଲା। ସେହିବର୍ଷ ଜିଲ୍ଲାରେ ଆସିଥିବା ବାତ୍ୟା ପରେ ବିପର୍ଜୟ ପରିଚାଳନା ପାଇଁ ସେ ବିଭିନ୍ନ ପଦକ୍ଷେପ ନେଇଥିଲେ, ଯାହାଦ୍ଵାରା ବାତ୍ୟା ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ଭାବେ ସହାୟତା ମିଳିପାରିଥିଲା। ପରେ ସେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ।
ଏମ ଏମ ରାଜେନ୍ଦ୍ରନ ଓଡ଼ିଶାର ରାଜ୍ୟପାଳ ଥିବା ସମୟରେ ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ଵାଳ ଓ ନବୀନ ପଟ୍ଟନାୟକଙ୍କ ଭଳି ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଉତ୍ତମ ସମନ୍ଵୟ ରଖି କାର୍ଯ୍ୟ କରିଥିଲେ। ୨୦୨୦ ମସିହାରେ ତାଙ୍କ ଲିଖିତ ପୁସ୍ତକ ‘ସର୍ଭିସ ଅନଇଣ୍ଟରପ୍ଟେଡ’ ଉନ୍ମୋଚିତ ହୋଇଥିଲା। ଏଥିରେ ସେ ଓଡ଼ିଶାରେ ରାଜ୍ୟପାଳ ଥିବା ସମୟରେ ନିଜର ଅନେକ କଥା ଉଲ୍ଲେଖ କରିଛନ୍ତି।
Tags: #MMRajendran #FormerGovernor #Administrator #1999SuperCyclone #Odisha