ଅଭିଷେକ ରାୟ ଓ ଶୁଭଶ୍ରୀ ନାୟକ

ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ନିଦର୍ଶନ ସହ ସମସ୍ତଙ୍କ ମନ ଜିଣିଲା ‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱରରେ ସରିଛି ୧୮ତମ ‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା। ସ୍ଥାନୀୟ ଜନତା ମଇଦାନରେ ୧୨ ଦିନ ଧରି ଚାଲିଥିବା ଏହି ମେଳା ଲୋକମାନଙ୍କୁ ଏକ ନିଆରା ଅନୁଭୂତି ଦେଇଛି। ମେଳାରେ ଭଳିକି ଭଳି ହସ୍ତତନ୍ତ, ହସ୍ତଶିଳ୍ପ ସହ ଫୁଡ଼ କୋର୍ଟ ଅନେକଙ୍କୁ ବିଶେଷ ଆକୃଷ୍ଟ କରିଥିଲା। ପ୍ରତିଦିନ ମେଳାରେ ପ୍ରବଳ ଜନ ସମାଗମ ହେଉଥିବାର ଦେଖିବାକୁ ମିଳିଥିଲା।

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ତୋଷାଳି ମେଳାରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ସୁନ୍ଦର ନିଦର୍ଶନ ଦେଖିବାକୁ ମିଳିଥିଲା। ଏଠାରେ ବିଭିନ୍ନ ହାତ ତିଆରି ଜିନିଷର କିଣାବିକା ସାଙ୍ଗକୁ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଚଳିତ ବର୍ଷ ଏହି ମେଳା ବୁଲିବାକୁ ୨୫ ଲକ୍ଷରୁ ଅଧିକ ଲୋକ ଆସିଥିବା ଆକଳନ କରାଯାଇଛି।

“ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ‘ତୋଷାଳି’ ମେଳା ପ୍ରମୁଖ ମାଧ୍ୟମ ପାଲଟିଛି। ଏହି ମେଳା ଓଡ଼ିଶାର ସାଂସ୍କୃତିକ ବୈଭବର କଥା କହୁଛି। ଏହି ମେଳା କେବଳ ଓଡ଼ିଶା ଭିତରେ ସୀମିତ ରହିନାହିଁ। ବାହାର ରାଜ୍ୟର ଲୋକମାନେ ମଧ୍ୟ ଏହି ମେଳା ପ୍ରତି ଆକର୍ଷିତ ହେଉଛନ୍ତି। ତେଣୁ ଆଗାମୀ ଦିନରେ ଏହାକୁ ଅନ୍ତର୍ଜାତୀୟ ମାନର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ।

ମେଳାରେ ୬୦୦ରୁ ଅଧିକ ଷ୍ଟଲରେ ଜମିଲା କିଣାବିକା  

ଚଳିତ ବର୍ଷ ତୋଷାଳି ମେଳାରେ ୬୦୦ରୁ ଅଧିକ ଷ୍ଟଲ ଖୋଲାଯାଇଥିଲା। ଏଥିରେ ଓଡ଼ିଶାର ୨୦୦ରୁ ଅଧିକ ଶିଳ୍ପୀ ଏବଂ ୧୪୦ରୁ ଅଧିକ ବୁଣାକାର ଭାଗନେଇ ସେମାନଙ୍କ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି ପାଇଁ ପସରା ମେଲାଇଥିଲେ। ସେମାନେ ପ୍ରଦର୍ଶିତ କରିଥିବା ସାମଗ୍ରୀଗୁଡ଼ିକରେ ଓଡ଼ିଶାର ଲୋକକଳା, ସ୍ଥାପତ୍ୟ ତଥା ଭାସ୍କର୍ଯ୍ୟକୁ ସୁନ୍ଦର ଭାବେ ରୂପ ଦିଆଯାଇଥିବା ଦେଖିବାକୁ ମିଳିଥିଲା।

ମେଳାରେ ଓଡ଼ିଶାର ସମ୍ବଲପୁରୀ ଓ ମାଣିଆବନ୍ଧ ଶାଢ଼ୀ, ବ୍ରହ୍ମପୁର ପାଟ ତଥା ଟସର ଏବଂ ଅନ୍ୟାନ୍ୟ ହସ୍ତତନ୍ତର ଭରପୁର ଚାହିଦା ରହିଥିଲା। ଏହାସହ ପଥର ଓ କାଠ ଖୋଦେଇ ମୂର୍ତ୍ତି, ପଟ୍ଟଚିତ୍ର, ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ, ଟେରାକୋଟା, ସିଂଘରୁ ପ୍ରସ୍ତୁତ ସାମଗ୍ରୀ, ଜନଜାତି କଳାକୃତି ଓ ଅଳଙ୍କାର ସହ ଶଢ଼େଇ ଓ ବାଉଁଶ ତିଆରି ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀକୁ ଲୋକେ ମନଭରି କଣିଥିଲେ।

‘‘ଆମେ ପ୍ରତିବର୍ଷ ତୋଷାଳି ମେଳାକୁ ସମ୍ବଲପୁରୀ ଶାଢ଼ି ଓ କପଡ଼ା ନେଇ ଆସୁଛୁ। ଏହାର ଚାହିଦା ଥିବାରୁ ଲୋକମାନେ ଏହାକୁ ଆଗ୍ରହର ସହିତ କିଣୁଛନ୍ତି। ତା’ଛଡ଼ା ଆମ ସାମଗ୍ରୀକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଏହି ମେଳା ବଡ଼ ମାଧ୍ୟମ ହୋଇପାରିଛି’’, କହିଥିଲେ ବରଗଡ଼ର ଉତ୍ପାଦ ବିକ୍ରେତା ସୁମନ୍ତ ମେହେର।    

‘ଟସରରୁ ପ୍ରସ୍ତୁତ ଶାଢ଼ି ନେଇ ଆମେ ଏଥର ତୋଷାଳି ମେଳାକୁ ଆସିଥିଲୁ। ଏଠାରେ ଭଲ ବ୍ୟବସାୟ ମଧ୍ୟ ହୋଇଛି। ମେଳାକୁ ଆସିଥିବା ବିଭିନ୍ନ ରାଜ୍ୟର ଲୋକମାନେ ଆମର ଏହି ଜିନିଷକୁ ପସନ୍ଦ କରିଥିଲେ। ପ୍ରତିବର୍ଷ ଆମେ ଏହି ମେଳାକୁ ଆସିବା ଫଳରେ ଅନ୍ୟ ରାଜ୍ୟର ବିଭିନ୍ନ ସାମଗ୍ରୀକୁ ଦେଖିବା ସହିତ ଲୋକମାନଙ୍କ ସହ ମିଶିବାର ସୁଯୋଗ ପାଉଛୁ’’, କହିଥିଲେ ଯାଜପୁରରୁ ଆସିଥିବା ଉତ୍ପାଦ ବିକ୍ରେତା ପ୍ରଦୀପ ଦାସ।

ସେହିପରି ଚଳିତ ବର୍ଷ ଏହି ମେଳାରେ ଓଡ଼ିଶା ବାହାରୁ ଆସିଥିବା ୨୫୦ ଜଣ ହସ୍ତଶିଳ୍ପୀ ଏବଂ ୫୭ ଜଣ ବୁଣାକାର ସେମାନଙ୍କ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରିବଟା କରିଥିଲେ। ବେଙ୍ଗାଳୁରୁ ଓ ବନାରସର ସିଲ୍କ ଶାଢ଼ି, ଆନ୍ଧ୍ରପ୍ରଦେଶର ପୋଚମପାଲି ଶାଢ଼ି, କଶ୍ମୀରର ପସ୍ମିନା ସାଲ, ଛତିଶଗଡ଼ ବସ୍ତରର ଲୁହା କାମ ଭଳି ବିଭିନ୍ନ ସାମଗ୍ରୀର ଏଠାରେ ଭଲ ବିକ୍ରିବଟା ହୋଇଛି।

ମେଳାରେ ବିକ୍ରି ହେଉଥିବା ଜିନିଷର ମୂଲ୍ୟ ସବୁ ବର୍ଗକୁ ସୁହାଇଲା ଭଳି ରହିଥିଲା। ଏହି ମେଳାରେ ଚଳିତ ବର୍ଷ ୩୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଇଛି। ପୂର୍ବରୁ ହୋଇଥିବା ସବୁ ତୋଷାଳି ମେଳାର ବ୍ୟବସାୟର ରେକର୍ଡ ଏଥର ଭାଙ୍ଗିଛି।  

‘‘ତୋଷାଳି ମେଳାରେ ଶାଢ଼ି, ସାଲ୍‌ ଏବଂ ଦୁପଟାର ଭଲ ଚାହିଦା ଥିଲା। ୨୫୦ ଟଙ୍କାରୁ ଆରମ୍ଭକରି ୬ ହଜାର ଟଙ୍କା ମୂଲ୍ୟର ଜିନିଷ ଆମ ଷ୍ଟଲରେ ରହିଥିଲା। ଲୋକମାନେ ଆସି ଏହାକୁ କିଣିଥିଲେ। ଫଳରେ ଆମ ବ୍ରାଣ୍ଡର ବ୍ୟାପକ ପ୍ରଚାର ପ୍ରସାର ହୋଇପାରିଥିଲା’’, କହିଥିଲେ ମଣିପୁରର ଉତ୍ପାଦ ବିକ୍ରେତା ଲଇଶ୍ରମ ଜମାତା ଦେବୀ।

ପ୍ରମୁଖ ଆକର୍ଷଣ ପାଲଟିଲା ‘ଥିମ୍ ପାଭିଲିୟନ’

ତୋଷାଳି ମେଳାରେ ପଡ଼ିଆର ମଧ୍ୟ ଭାଗରେ ଏକ ସ୍ୱତନ୍ତ୍ର ‘ଥିମ୍ ପାଭିଲିୟନ’ କରାଯାଇଥିଲା। ଏଥିରେ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହ ଅନ୍ୟାନ୍ୟ କଳାକୃତି ପ୍ରଦର୍ଶିତ ହୋଇଥିଲା।

ଏହି ଥିମ୍ ପାଭିଲିୟନରେ ମୋଟ ୪ଟି ଷ୍ଟଲ ରହିଥିଲା। ଏଥିରେ ଜିଆଇ ମାନ୍ୟତା ପାଇଥିବା ରାଜ୍ୟର ୯ଟି ହସ୍ତତନ୍ତ ଯଥା ସମ୍ବଲପୁରୀ ବାନ୍ଧ ଶାଢ଼ି, ହବସପୁରୀ ଶାଢ଼ି, ଖୋର୍ଦ୍ଧା ଜିଲ୍ଲା ଧଳାପଥରର ପରଦା, ଗୋପାଳପୁରର ପ୍ରସିଦ୍ଧ ରେଶମ ପୋଷାକ, ବ୍ରହ୍ମପୁର ପାଟ, ଓଡ଼ିଶା ଇକତ ଶାଢ଼ି, ଖଣ୍ଡୁଆ ପାଟ ଓ ବମକେଇ ଶାଢ଼ି ପ୍ରଦର୍ଶିତ ହୋଇଥିଲା।

ସେହିପରି ଏଠାରେ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ପଥର ଖୋଦେଇ ମୂର୍ତ୍ତି, ପଟ୍ଟଚିତ୍ର ଏବଂ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଦେଖିବାକୁ ମିଳିଥିଲା। ଏହାସହ ଏହି ପାଭିଲିୟନରେ ଓଡ଼ିଶାର ଜନଜାତି କଳାକୃତିକୁ ମଧ୍ୟ ସ୍ଥାନ ଦିଆଯାଇଥିଲା।

ଅନ୍ୟପଟେ ଅହିଂସା ଉପାୟରେ ଓଡ଼ିଶା ପ୍ରସ୍ତୁତ କରୁଥିବା ‘କରୁଣା ସିଲ୍କ’ ଥିମ ପାଭିଲିୟନର ଅନନ୍ୟ ଆକର୍ଷଣ ସାଜିଥିଲା। ରେଶମ କୀଟକୁ ନମାରି କିପରି ସେଥରୁ ସିଲ୍କ ତିଆରି କରାଯାଉଛି ତା’ର ପୂରା ପ୍ରକ୍ରିୟା ଏଠାରେ ପ୍ରଦର୍ଶିତ ହୋଇଥିଲା। ଏହା ଲୋକଙ୍କୁ ବେଶ୍ ଆକର୍ଷିତ କରିଥିଲା।

“ଥିମ ପାଭିଲିୟନରେ ଆମେ ଓଡ଼ିଶାର ବିଭିନ୍ନ ଜିଆଇ ଟ୍ୟାଗ ପାଇଥିବା ସାମଗ୍ରୀ ଦେଖିଲୁ। ସମ୍ବଲପୁରୀ, କୋଟପାଡ଼ ଭଳି ବିଭିନ୍ନ ଶାଢ଼ିକୁ ମିଳିଥିବା ଜିଆଇ ଟ୍ୟାଗ ଏହାର ବିଶେଷତା ବର୍ଣ୍ଣନା କରୁଛି।  ଏହାସହ ଏଠାରେ ପ୍ରଦର୍ଶିତ ହେଉଥିବା ‘କରୁଣା ସିଲ୍କ’ ମତେ ବହୁତ ଭଲ ଲାଗିଲା”, କହିଛନ୍ତି ମେଳା ବୁଲିବାକୁ ଆସିଥିବା ବିଜୟ ପଟେଲ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ମେଳାରେ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ଥିଲା ‘ତୋଷାଳି ମଞ୍ଚ’। ପ୍ରତିଦିନ ଏଠାରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ଅନେକ କଳାକାରଙ୍କ ଦ୍ଵାରା ପରିବେଷିତ ଓଡ଼ିଶୀ, ସମ୍ବଲପୁରୀ ଓ ଆଦିବାସୀ ନୃତ୍ୟ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ଲୋକଙ୍କ ବେଶ୍ ମନୋରଞ୍ଜନ କରିଥିଲା। ଏହାସହ ରାଜ୍ୟ ବାହାରର ଅନେକ ନୃତ୍ୟ ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଥିଲା।

ସେହିପରି ମଞ୍ଚରେ ହୋଇଥିବା ବଲିଉଡ ନାଇଟ୍, ଓଲିଉଡ୍ ନାଇଟ୍ ଓ ସମ୍ବଲପୁରୀ ନାଇଟରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ। ଗୀତଗୁଡ଼ିକ ସେମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ବିଭିନ୍ନ ହସ୍ତଶିଳ୍ପର ଲାଇଭ୍ ଡେମୋ ଦେଖିଲେ ଲୋକେ

ତୋଷାଳି ମେଳାରେ ଓଡ଼ିଶାର ବିଭିନ୍ନ କଳା, କାରିଗରିର ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଇଥିଲା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଡେଭଲପମେଣ୍ଟ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସର (ଏସଆଇଡିଏସି) ୩୦ ଜଣ ପ୍ରଶିକ୍ଷାର୍ଥୀ ଲୋକଙ୍କ ସମ୍ମୁଖରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ମାଟି, ନଡ଼ିଆ କତା, ତାଳପତ୍ର, ପଥର ତଥା କାଠ ଆଦିରେ ସୁନ୍ଦର ସୁନ୍ଦର ହସ୍ତଶିଳ୍ପ ତିଆରି ଦେଖି ଲୋକେ ବହୁତ ଆନନ୍ଦିତ ହୋଇଥିଲେ।

ଫୁଡ୍ କୋର୍ଟରେ ମିଳିଲା ବିଭିନ୍ନ ରାଜ୍ୟର ଖାଦ୍ୟ ସଂସ୍କୃତିର ଝଲକ

ମେଳାରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସହ ବିଭିନ୍ନ ଖାଦ୍ୟର ମହକ ଲୋକଙ୍କୁ ଫୁଡ୍ କୋର୍ଟ ଆଡ଼କୁ ଟାଣି ନେଉଥିଲା। ଏଠାରେ ୨୫ଟି ଷ୍ଟଲରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ନିଆରା ଖାଦ୍ୟ ସବୁ ପରଷା ଯାଇଥିଲା। ଓଡ଼ିଶାର ଦହିବରା, ବିଭିନ୍ନ ପିଠା, ମିଲେଟ୍ସ ଖାଦ୍ୟ ସାଙ୍ଗକୁ ଗୁଜୁରାଟ, ରାଜସ୍ଥାନ ଓ ଦକ୍ଷିଣ ଭାରତୀୟ ଖାଦ୍ୟର ମଜା ନେବା ପାଇଁ ପ୍ରତିଦିନ ଫୁଡ୍ କୋର୍ଟରେ ଲାଗୁଥିଲା ଲୋକଙ୍କ ପ୍ରବଳ ଗହଳି।  

ବରିଷ୍ଠ ଓ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ହୁଇଲ୍‌ ଚେୟାର ବ୍ୟବସ୍ଥା

ଏଥର ତୋଷାଳି ମେଳା ବୁଲିବାକୁ ଆସିଥିବା ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୁଇଲ୍‌ ଚେୟାର ବ୍ୟବସ୍ଥା କରାଯାଇଥିଲା। ଏହାର ସୁବିଧା ନେଇ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜ ପରିବାର ସହ ମେଳାର ଆନନ୍ଦ ନେଇଥିଲେ। 

‘‘ତୋଷାଳି ମେଳାକୁ ଆସିବା ପାଇଁ ବହୁତ ଇଚ୍ଛା ଥିଲା। ହେଲେ ଏତେବଡ଼ ମେଳା ଚାଲି ଚାଲି ଦେଖିବା ଲାଗି ସାହସ ହେଉ ନଥିଲା। ଚଳିତ ବର୍ଷ ହୁଇଲ ଚେୟାର ବ୍ୟବସ୍ଥା ହୋଇଥିବାରୁ ମୁଁ ମେଳାକୁ ଆସିଥିଲି। ଏଥିରେ ବସି ମୋ’ ପରିବାର ସହିତ ମେଳା ବୁଲିଲି ଓ ମତେ ବହୁତ ଖୁସି ଲାଗିଲା”, କହିଥିଲେ ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକ ସାବିତ୍ରୀ ପଣ୍ଡା।

ବିଦେଶୀ ପର୍ଯ୍ୟଟକଙ୍କ ମନ ଜିଣିଲା ତୋଷାଳି  

୧୨ ଦିନ ବ୍ୟାପି ହୋଇଥିବା ତୋଷାଳି ମେଳାକୁ ଅନେକ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହେଉଥିଲା। ଏଠାରେ ଓଡ଼ିଶା ତଥା ଭାରତର ଅନ୍ୟ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସେମାନଙ୍କୁ ବହୁତ ଆକର୍ଷିତ କରୁଥିଲା। ପର୍ଯ୍ୟଟକମାନେ ଏଠାରେ ବିଭିନ୍ନ ହାତ ତିଆରି ସାମଗ୍ରୀ ବିଷୟରେ ଜାଣିବା ସହ ନିଜ ପସନ୍ଦର ଜିନିଷ କିଣୁଥିବା ଦେଖିବାକୁ ମିଳିଥିଲା।

‘ଆଇ ଲଭ୍‌ ତୋଷାଳି’ ସେଲ୍ଫି ପଏଣ୍ଟରେ ଲାଗିଲା ଭିଡ଼    

ତୋଷାଳିରେ ବୁଲାବୁଲି ସମୟରେ ଲୋକେ ବେଶ୍ ଉତ୍ସାହର ସହ ନିଜ ସାଙ୍ଗସାଥି ଓ ପରିବାର ବର୍ଗଙ୍କ ସହ ଫଟୋ ଉଠାଉଥିଲେ। ଖାସ କରି ମେଳାରେ ହୋଇଥିବା ‘ଆଇ ଲଭ୍‌ ତୋଷାଳି’ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇବାକୁ ଲୋକଙ୍କ ଭିଡ଼ ଲାଗୁଥିଲା।   

“ତୋଷାଳି ମେଳାକୁ ମୁଁ ପ୍ରତିବର୍ଷ ଆସେ। ଗୋଟିଏ ସ୍ଥାନରେ ଏତେ ପ୍ରକାର ହସ୍ତତନ୍ତ ଓ ହସ୍ତଶିଳ୍ପ ଦେଖିବା ଓ କିଣିବାର ସୁଯୋଗ ଆଉ କେଉଁଠାରେ ମିଳେ ନାହିଁ। ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫୁଡ୍ କୋର୍ଟରେ ବିଭିନ୍ନ ଖାଦ୍ୟ ମତେ ବହୁତ ଆକର୍ଷିତ କରିଛି। ଏ ବର୍ଷ ମୁଁ ଏଠାରୁ ବହୁତ ଘରକରଣା ଜିନିଷ କିଣିକି ନେଇଛି। ଆଗାମୀ ବର୍ଷରେ ମଧ୍ୟ ମେଳା ହେଲେ ମୁଁ ନିଶ୍ଚୟ ଆସିବି”, କହିଛନ୍ତି ଭୁବନେଶ୍ଵରର ମମତା ମିତ୍ର।     

ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ବିକ୍ରିବଟା ପାଇଁ ତୋଷାଳି ମେଳା ଏକ ବଡ଼ ବଜାର ସାଜିଛି। ଏହା ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଓ ବ୍ୟବାସୀୟମାନଙ୍କ ପାଇଁ ସେମାନଙ୍କ ଜିନିଷର ବିକ୍ରିବଟା କରିବାକୁ ଏକ ମାଧ୍ୟମ ପାଲଟିବା ସହ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଆଗକୁ ଏହି ମେଳାକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।  

Tags: #ToshaliFair #NationalCraftsMela #ArtandCrafts #Bhubaneswar #ତୋଷାଳିମେଳା #ହସ୍ତତନ୍ତଓହସ୍ତଶିଳ୍ପ  

LEAVE A REPLY

Please enter your comment!
Please enter your name here