ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ଵରରେ ଜାନୁଆରି ୮ରୁ ୧୦ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରମୁଖ ଯୋଗଦେବେ। ସମ୍ମିଳନୀର ଆୟୋଜନକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ଭୁବନେଶ୍ଵରର ସବୁ ରାସ୍ତାଘାଟର ନବୀକରଣ, ଆଲୋକୀକରଣ ସହ ଆକର୍ଷଣୀୟ ସାଜସଜ୍ଜା କରାଯାଉଛି। ବିଶେଷକରି ସହରର ସ୍ଵଚ୍ଛତା ଉପରେ ଅଧିକ ଗୁରୁତ୍ଵାରୋପ କରିଥିଲେ ମୁଖ୍ୟମନ୍ତ୍ରୀ।
“୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ସମାରୋହ ପ୍ରଥମଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି। ବିଶ୍ଵ ଦରବାରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ଵ ଦେଉଛନ୍ତି। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବେ ରାଜ୍ୟ ସରକାର”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସମ୍ମିଳନୀରେ ଓଡ଼ିଶାର ପର୍ଯ୍ୟଟନ ଓ ନିବେଶ ସୁଯୋଗ ଭଳି ବିଷୟ ଉପରେ ସେସନ୍ ଅନୁଷ୍ଠିତ ହେବ। ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ।
ଏହି କାର୍ଯ୍ୟକ୍ରମରେ ମୋଟ ୭୫୦୦ ଜଣ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମର ରହିଥିବାବେଳେ ସେମାନଙ୍କ ପାଇଁ ୩୭୦୦ରୁ ଅଧିକ ରୁମ ବୁକିଂ ହୋଇଛି। ଆଉ କିଛି କିଛି ସ୍ଥାନରେ ସେମାନଙ୍କ ପାଇଁ ହୋମ ଷ୍ଟେ’ର ବ୍ୟବସ୍ଥା କରାଯାଇଛି। ଅତିଥିମାନଙ୍କ ବୁଲିବା ପାଇଁ ଭୁବନେଶ୍ଵର, ପୁରୀ, କୋଣାର୍କ, ଯାଜପୁର ଭଳି ସହରର ମୋଟ ୨୮ଟି ପର୍ଯ୍ୟଟନ ସ୍ଥଳକୁ ଚୟନ କରାଯାଇଛି।
ଏହି ସମୀକ୍ଷା ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ।
Tags: #PravasiBhartiyaDivas #NRI #CMMohanCharanMajhi #Bhubaneswar #Odisha