ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକା ହ୍ରଦରେ ଜାନୁଆରି ୪ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା। ଏଥିରେ ୨୧ଟି ଟିମ୍ ନିୟୋଜିତ ହେବେ। ଚଳିତ ଶୀତ ଋତୁରେ ହ୍ରଦକୁ କେତେ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଛନ୍ତି ସେସବୁର ଗଣନା କରାଯିବ। ଏନେଇ ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି।
ଚିଲିକାରେ ପ୍ରତିଦିନ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏହି ଗଣନା କାର୍ଯ୍ୟରେ ଚିଲିକା ବନ୍ୟପ୍ରାଣୀ ବିଭାଗର ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ରାଜ୍ୟ ପକ୍ଷୀ ସୁରକ୍ଷା ସମିତିର କର୍ମଚାରୀ ଓ ସ୍ଵେଚ୍ଛାସେବୀମାନେ ନିୟୋଜିତ ରହିବେ। ଏଥିପାଇଁ ଚିଲିକାର ସମ୍ପୂର୍ଣ୍ଣ ଅଞ୍ଚଳକୁ ୫ଟି ଜୋନରେ ବିଭକ୍ତ କରାଯାଇଛି।
ତେବେ ପକ୍ଷୀ ଗଣନାରେ ସାମିଲ ହେବାକୁଥିବା ୨୧ଟି ଟିମରୁ ସର୍ବାଧିକ ୮ଟି ଟିମ୍ ଚିଲିକାର ଟାଙ୍ଗୀ ଜୋନରେ ନିୟୋଜିତ ରହିବେ। ସେହିପରି ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି ଟିମ୍ ନିୟୋଜିତ ହେବାକୁଥିବାବେଳେ ବାକି ୫ଟି ଟିମ୍ ରମ୍ଭା ଓ କୃଷ୍ଣପ୍ରସାଦ ଜୋନରେ ପକ୍ଷୀ ଗଣନାରେ ସାମିଲ ହେବେ।
ଅନ୍ୟପଟେ ଜାନୁଆରି ୩ ତାରିଖରେ ପକ୍ଷୀ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପକ୍ଷୀ ଗଣନା କାମରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିପିଏସ ଓ ଅନ୍ୟାନ୍ୟ ଆଧୁନିକ ଉପକରଣର ବ୍ୟବହାର କରାଯିବ।
ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ବିଭିନ୍ନ ପ୍ରଜାତିର ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଆସିଥାନ୍ତି। ୨୦୨୨ରେ ଏଠାକୁ ୧୦ ଲକ୍ଷ ୭୪ ହଜାର ୧୭୩ ବିଦେଶୀ ପକ୍ଷୀ ଆସିଥିଲେ। ସେହିପରି ୨୦୨୧ରେ ଏହି ସଂଖ୍ୟା ୧୨ ଲକ୍ଷ ୪୨ ହଜାର ୮୨୬ ଥିଲା।
Tags: #ChilikaLake #BirdCounting #AnnualBirdCensus #Odisha