ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକା ହ୍ରଦରେ ଗୁରୁବାରଠାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଏଥିରେ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି। ଚଳିତ ଶୀତ ଋତୁରେ ହ୍ରଦକୁ କେତେ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଛନ୍ତି ସେସବୁର ଗଣନା କରାଯାଉଛି। ଏନେଇ ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି।
ଚିଲିକାରେ ଗୁରୁବାର ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟରେ ଚିଲିକା ବନ୍ୟପ୍ରାଣୀ ବିଭାଗର ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ରାଜ୍ୟ ପକ୍ଷୀ ସୁରକ୍ଷା ସମିତିର କର୍ମଚାରୀ ଓ ସ୍ଵେଚ୍ଛାସେବୀମାନେ ଯୋଗ ଦେଇଛନ୍ତି। ଏଥିପାଇଁ ଚିଲିକାର ସମ୍ପୂର୍ଣ୍ଣ ଅଞ୍ଚଳକୁ ୫ଟି ଜୋନରେ ବିଭକ୍ତ କରାଯାଇଛି।
ତେବେ ପକ୍ଷୀ ଗଣନାରେ ସାମିଲ ହୋଇଥିବା ୨୧ଟି ଟିମରୁ ୨ଟି ଟିମ୍ ସ୍ଥଳ ଭାଗରେ ରହି ଗଣନା କାମ କରୁଛନ୍ତି। ସେହିପରି ଅନ୍ୟ ୧୯ଟି ଟିମ ବୋଟରେ ହ୍ରଦ ମଧ୍ୟକୁ ଯାଇ ପକ୍ଷୀ ଗଣନା କରୁଛନ୍ତି। ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା କର୍ମଚାରୀମାନେ କ୍ୟାମେରା, ବାଇନାକୁଲର, ଜିପିଏସ୍, ବାର୍ଡସ୍ ଗାଇଡ୍ ବୁକ୍ ଆଦି ବ୍ୟବହାର କରୁଛନ୍ତି। ପ୍ରତିଦିନ ସକାଳ ୬ଟାରୁ ଦିନ ୧ଟା ଯାଏଁ ପକ୍ଷୀ ଗଣନା ଚାଲିବ।
ତେବେ ପକ୍ଷୀ ଗଣନା ପାଇଁ ସର୍ବାଧିକ ୮ଟି ଟିମ୍ ଚିଲିକାର ଟାଙ୍ଗୀ ଜୋନରେ ନିୟୋଜିତ ହୋଇଛନ୍ତି। ସେହିପରି ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି ଟିମ୍ ନିୟୋଜିତ ହୋଇଥିବାବେଳେ ବାକି ୫ଟି ଟିମ୍ ରମ୍ଭା ଓ କୃଷ୍ଣପ୍ରସାଦ ଜୋନରେ ପକ୍ଷୀ ଗଣନାରେ ସାମିଲ ଅଛନ୍ତି।
ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ବିଭିନ୍ନ ପ୍ରଜାତିର ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଆସିଥାନ୍ତି। ୨୦୨୨ରେ ଏଠାକୁ ୧୦ ଲକ୍ଷ ୭୪ ହଜାର ୧୭୩ ବିଦେଶୀ ପକ୍ଷୀ ଆସିଥିଲେ। ସେହିପରି ୨୦୨୧ରେ ଏହି ସଂଖ୍ୟା ୧୨ ଲକ୍ଷ ୪୨ ହଜାର ୮୨୬ ଥିଲା।
Tags: #ChilikaLake #BirdCounting #AnnualBirdCensus #Odisha