ଅସିତ୍ ମହାନ୍ତି

ପ୍ରଫେସର ଅଭିନ୍ନ ଚନ୍ଦ୍ର ସାହୁଙ୍କ ବିୟୋଗରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି।

ଅଭିନ୍ନ ସାର୍ ଚାଲିଗଲେ। କିନ୍ତୁ ଅଭିନ୍ନ ସାର୍ ମୋର ମନେ ରହିବେ ସବୁଦିନ।

ମୁଁ ରେଭେନ୍ସାରେ ଓଡ଼ିଆରେ ଏମ୍.ଏ. ପଢ଼ିବା ବେଳେ ଖୁବ୍ ଚର୍ଚ୍ଚାରେ ଥିଲେ ସେ। ଆମ ବ୍ୟାଚରେ କିଏ ଓଡ଼ିଆରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେବ, ସେ ନେଇ ଚର୍ଚ୍ଚା ଥିଲା। ସେ ଜଣଙ୍କୁ ପାଠ ପଢ଼ାଇ ପ୍ରଥମ କରିବାକୁ ଚାହୁଁଥିବା ବେଳେ, ରେଭେନ୍ସାର ଆଉଜଣେ ଅଧ୍ୟାପକ ଆଉ ଜଣଙ୍କୁ ପ୍ରଥମ କରିବା ପାଇଁ ଲାଗିଡ଼ିଥିଲେ। କିନ୍ତୁ କାଳ ଆଜି ସେ ସମସ୍ତଙ୍କୁ ଅସାର କରି ଫିଙ୍ଗି ଦେଇଛି।

ସେ ସମ୍ପର୍କରେ ଅନେକ କଥା ଅଛି। ଅନେକ କଥା ସେ ନିଜେ ବି ମୋତେ କହିଛନ୍ତି। କିନ୍ତୁ ତାହା କହିବାର ସମୟ ଏ ନୁହେଁ।

ତେବେ ଅଭିନ୍ନ ସାର୍ କାହିଁକି ମନେ ରହିବେ, ସେ କଥା ସଂକ୍ଷେପରେ କହେ।

କନହେଇଲାଲ ଦାସଙ୍କ ରଚନା ସମଗ୍ର ‘କନହେଇ କଥାଘର’ ଆମର ପ୍ରଥମ ବହି। ମୁଁ ଓ ମୋର ବନ୍ଧୁ ପ୍ରଦୀପ୍ତ ମିଶି ତାହା କରିଥିଲୁ। ତାହା ମୋତେ ଏକ ପରିଚିତି ଏବଂ ପ୍ରଦୀପ୍ତଙ୍କୁ ଆକାଶବାଣୀର ଗୋଟିଏ ଚାକିରି ଦେଇଥିଲା। ସେଥିରେ କନହେଇଲାଲ ଦାସଙ୍କର କେତୋଟି ଡାଏରୀର ସଂପାଦିତ ଅଂଶ ଅଛି। ସେ ଡାଏରୀ ଆମକୁ ମିଳିଥିଲା ଅଭିନ୍ନ ସାର୍‌ଙ୍କଠାରୁ। ନାଟ୍ୟକାର ତଥା ତାଙ୍କର ଛାତ୍ର ରତିରଂଜନ ମିଶ୍ର ତାହା ତାଙ୍କୁ ଦେଇଥିଲେ। ବହୁ ଉଦ୍ୟମ କରି ଆମେ ତାହା ଅଭିନ୍ନ ସାର୍‌ଙ୍କଠାରୁ ହାସଲ କରିଥିଲୁ। ତଥାପି ଆଉ ଗୋଟିଏ ଡାଏରୀ ଶେଷ ଯାଏଁ ତାଙ୍କ ପାଖରେ ରହିଗଲା।

ମୁଁ ଯେତେବେଳେ ‘ସମାବେଶ’ରେ ଥିଲି, ସେତେବେଳେ ତାହା ପ୍ରକାଶ ପାଉଥିବା କ୍ଵଲିଟି ପ୍ରେସ୍‌ରେ ‘ଓଡ଼ିଆ ଗବେଷଣା ପରିଷଦ’ ପକ୍ଷରୁ ଗୋଟିଏ ଆଲୋଚନାଚକ୍ର ହୋଇଥିଲା। ସେଥିରେ ଜହ୍ନ ଓ ଜହ୍ନରାତିକୁ ନେଇ ଗୋଟିଏ ସୁନ୍ଦର ପ୍ରବନ୍ଧ ପଢ଼ିଥିଲେ ଅଭିନ୍ନ ସାର୍। ଯାହା ମନେ ପଡୁଛି, ସେଥିରେ କବି ରାଜେନ୍ଦ୍ର କିଶୋର ପଣ୍ଡା ବି ଯୋଗ ଦେଇଥିଲେ। ପରେ ୧୯୮୨ ନଭେମ୍ବରରେ ଅଖିଳ ମୋହନ ପଟ୍ଟନାୟକଙ୍କ ମୃତ୍ୟୁ ପରେ, ତାଙ୍କ ଏକାଦଶାହରେ ‘ଅଖିଳେଷୁ’ ନାମରେ ‘ସମାବେଶ’ର ଏକ ସ୍ଵତନ୍ତ୍ର ସଂଖ୍ୟା ପ୍ରକାଶ ପାଇଲା।

ସେଥିରେ ଅଖିଳମୋହନଙ୍କ ଗଳ୍ପ ଉପରେ ଗୋଟିଏ ପ୍ରବନ୍ଧ ଲେଖିଥିଲେ ଅଭିନ୍ନ ସାର୍। ତାହାର ଦ୍ଵିତୀୟ ଭାଗ ବି ସେ ଲେଖିବାର କଥା ଥିଲା। କିନ୍ତୁ ୪୦ ବର୍ଷରୁ ଉର୍ଦ୍ଧ୍ଵକାଳ ମଧ୍ୟରେ ତାହା ଆଉ ସମ୍ଭବ ହୋଇ ପାରିନଥିଲା। ପରେ ଅବଶ୍ୟ ‘ପୌରୁଷ’ରେ ମୁଁ ତାଙ୍କୁ କେତୋଟି ଲେଖା ଲେଖାଇବାରେ ସଫଳ ହୋଇପାରିଥିଲି।

ଅଭିନ୍ନ ସାର୍ ଥିଲେ ଜଣେ ଅତ୍ୟନ୍ତ ସ୍ନେହୀ ମଣିଷ। ତାଙ୍କ ସହ ସମ୍ପର୍କ ଏପରି ସ୍ତରକୁ ଯାଇଥିଲା ଯେ ସବୁବେଳେ ସେ କହୁଥିଲେ- କେବେ ବି ଭାବିବ ନାହିଁ ଯେ ଭୁବନେଶ୍ୱରରେ ତୁମର ଘର ଖଣ୍ଡିଏ ନାହିଁ। ଆଇଆଇସି ଭିଲେଜର ‘ହ୍ଵଇଟ୍ ହାଉସ୍’ ରେ ତୁମର ରହିବା ପାଇଁ ବଖୁରିଏ ଘର ଓ ଖାଇବା ପାଇଁ ମୁଠାଏ ଭାତ ସବୁବେଳେ ଅଛି।

ଅଭିନ୍ନ ସାର୍‌ଙ୍କ ବିୟୋଗରେ ମୁଁ  ମୋର ସେହି ସ୍ନେହଶୀଳ ଓ ଆବେଗପ୍ରବଣ ଶୁଭେଚ୍ଛୁଙ୍କୁ ପ୍ରଣାମ ଜଣାଉଛି।

(ସୌଜନ୍ୟ: ସୋସିଆଲ ମିଡିଆ)

Tags: #ProfAbhinnaChnadraSahu #Writer #OdiaLiterature #Odisha

Comment