ଓଡ଼ିଶାଲାଇଭ୍ ବ୍ୟୁରୋ

ଷ୍ଟାର୍ଟଅପ୍ ପ୍ରୋତ୍ସାହନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା। କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ୍ ତାଲିକା ୨୦୨୨ରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ସଫଳତା ହାସଲ କରିଛି। ଏନେଇ ବୁଧବାର କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟକୁ ପୁରସ୍କାର ପ୍ରଦାନ କରାଯାଇଛି। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ଏହି ପୁରସ୍କାର ଗ୍ରହଣ କରିଥିଲେ।

ନୂଆ ଉଦ୍ୟୋଗୀଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଥିବା କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟର ରିପୋର୍ଟରେ କୁହାଯାଇଛି। ବିଭିନ୍ନ ମାନଦଣ୍ଡ ଆଧାରରେ ଓଡ଼ିଶା ବଡ଼ ବଡ଼ ରାଜ୍ୟମାନଙ୍କ ଗ୍ରୁପରେ ସ୍ଥାନ ପାଇଛି।

“ଓଡ଼ିଶାରେ ନୂଆ ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ାଇବା ଆମର ଲକ୍ଷ୍ୟ। ଓଡ଼ିଶାର ଏକ ସ୍ଵତନ୍ତ୍ର ଷ୍ଟାର୍ଟଅପ୍ ନୀତି ରହିଛି, ଯାହାକି ଷ୍ଟାର୍ଟଅପମାନଙ୍କ ପାଇଁ ବହୁତ ସହାୟକ ହେଉଛି। ଏହାସହ ରାଜ୍ୟ ସରକାର ଷ୍ଟାର୍ଟଅପମାନଙ୍କୁ ସେମାନଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍ଥିକ ଓ ବୈଷୟିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି। ଏହି ସବୁ ପଦକ୍ଷେପ ପାଇଁ ଓଡ଼ିଶାକୁ ଏବେ ସଫଳତା ମିଳିଛି”, କହିଛନ୍ତି ଡକ୍ଟର ଓମକାର ରାୟ।

ସେ ଆହୁରି ମଧ୍ୟ କହିଛନ୍ତି, “ଷ୍ଟାର୍ଟଅପ୍ ଓଡ଼ିଶା ଏ ପର୍ଯ୍ୟନ୍ତ ୧,୮୦୦ରୁ ଅଧିକ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ଦେଇଛି। ସେଥିରୁ ମହିଳାମାନେ ୪୨ ପ୍ରତିଶତ ଷ୍ଟାର୍ଟଅପର ନେତୃତ୍ଵ ନେଉଛନ୍ତି। ତେବେ ରାଜ୍ୟରେ ଆଗକୁ ଆଉ ଏକ ନୂଆ ଷ୍ଟାର୍ଟଅପ୍ ନୀତି ଆଣିବା ଉପରେ ବିଚାର କରାଯାଉଛି। ଇଏସଜି ଏବଂ ମହିଳା ଉଦ୍ୟମିତାର ପ୍ରସାର ଉପରେ ସେଥିରେ ଗୁରୁତ୍ଵ ଦିଆଯିବ।”    

ତେବେ ଷ୍ଟାର୍ଟଅପ୍ ପ୍ରୋତ୍ସାହନ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଓଡ଼ିଶା ସହ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଓ ତେଲଙ୍ଗାନା ଭଳି ରାଜ୍ୟ ମଧ୍ୟ ପୁରସ୍କୃତ ହୋଇଛନ୍ତି। ୩୩ଟି ଭିନ୍ନ ଭିନ୍ନ ମାନଦଣ୍ଡ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା।

ତାଲିକା ଅନୁସାରେ ଷ୍ଟାର୍ଟଅପଗୁଡ଼ିକୁ ଆର୍ଥିକ ସହଯୋଗ କ୍ଷେତ୍ରରେ ଓଡ଼ିଶା ଶତ ପ୍ରତିଶତ ସ୍କୋର କରିଛି। ସେହିପରି ଷ୍ଟାର୍ଟଅପଗୁଡ଼ିକର ଦକ୍ଷତା ବିକାଶ ଓ ସେମାନଙ୍କୁ ଆନୁଷ୍ଠାନିକ ସହାୟତା ଦେବା ବର୍ଗରେ ରାଜ୍ୟକୁ ୮୯ ପ୍ରତିଶତ ସ୍କୋର ମିଳିଛି।

ବର୍ତ୍ତମାନ ଓଡ଼ିଶାରେ ଏଗ୍ରିଟେକ୍, ଆଇଟି, ଏଆଇ, ସ୍ଵାସ୍ଥ୍ୟ ସେବା, ଫିନଟେକ୍ ଓ ବାୟୋଟେକ୍ନୋଲୋଜି ଭଳି ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପଗୁଡ଼ିକୁ ରହିଛନ୍ତି। ସେହିପରି ରାଜ୍ୟରେ ୨୭ଟି ଇନକ୍ୟୁବେଟର ରହିଛନ୍ତି। ତେବେ ୨୦୨୫ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପଙ୍କ ସଂଖ୍ୟା ୫ ହଜାର କରିବାକୁ ଲକ୍ଷ୍ୟ ରଖାଯାଇଛି।  

Tags: #StartupOdisha #StartupSupport #EcosystemDevelopment #Odisha

LEAVE A REPLY

Please enter your comment!
Please enter your name here