ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଆସିବାକୁ ଯାଉଛି ନୂଆ ବାୟୋଟେକ୍ନୋଲୋଜି ନୀତି। ନିକଟରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪କୁ ମଞ୍ଜୁରୀ ମିଳିଛି। ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସହ ‘ବାୟୋ-ଅର୍ଥନୀତି’ର ବିକାଶ ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି।

ବାୟୋଟେକ୍ନୋଲୋଜି କ୍ଷେତ୍ରର ନିବେଶକ ଓ ଅଂଶୀଦାରମାନଙ୍କୁ ଏକାଠି କରି ଓଡ଼ିଶାରେ ନିବେଶ ପାଇଁ ଆକର୍ଷିତ କରିବା ନୂଆ ନୀତିରେ ଯୋଜନା ରହିଛି। ଏହାସହ ରାଜ୍ୟରେ ଏକ ସମୃଦ୍ଧ ବାୟୋଟେକ୍ନୋଲୋଜି ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏହି କ୍ଷେତ୍ରର ନୂଆ ଉଦ୍ୟୋଗ ଖାସକରି ବାୟୋଟେକ୍ ଷ୍ଟାର୍ଟଅପଗୁଡ଼ିକୁ ବ୍ୟାପକ ପ୍ରୋତ୍ସାହନ ଦେବାକୁ ନୂଆ ନୀତିରେ ପ୍ରାବଧାନ କରାଯାଇଛି।

ଓଡ଼ିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪ର ମୁଖ୍ୟ ଉଦ୍ଦେଶ୍ୟ

  • ବାୟୋଟେକ୍ନୋଲୋଜିର ବିଭିନ୍ନ କ୍ଷେତ୍ରରେ ଉଚ୍ଚଶିକ୍ଷା, ଅନୁସନ୍ଧାନ ଏବଂ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହିତ କରିବା।
  • ବାୟୋଟେକ୍ନୋଲୋଜି ଉଦ୍ୟୋଗଗୁଡ଼ିକର ବିକାଶ ପାଇଁ ଉଦ୍ଭାବନ, ଇନକ୍ୟୁବେସନ, ନିବେଶ ତଥା ପ୍ରାସଙ୍ଗିକ ଇକୋସିଷ୍ଟମର ସୁଦୃଢ଼ୀକରଣ।
  • ଉକ୍ତ ଶିଳ୍ପକୁ ସୁହାଇଲା ଭଳି ଆନୁଷ୍ଠାନିକ ଶିକ୍ଷା ଓ ଦକ୍ଷତା ବିକାଶକୁ ବ୍ୟାପକ କରିବା।
  • ଉତ୍ପାଦ ବୃଦ୍ଧି ଓ ଏହାର ପ୍ରକ୍ରିୟା ବିକାଶ, ବାଣିଜ୍ୟିକରଣ ଏବଂ ଆଇପି ବିମୁଦ୍ରୀକରଣକୁ ପ୍ରୋତ୍ସାହନ ଦେବା।
  • ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବାୟୋଟେକ୍ନୋଲୋଜି ଜ୍ଞାନ ଓ ଉଦ୍ଭାବନର ଉପଯୋଗ।   

ବାୟୋଟେକ୍ନୋଲୋଜିକୁ ‘ଓଡ଼ିଶା ଶିଳ୍ପ ନୀତି ୨୦୨୨’ରେ ଏକ ପ୍ରମୁଖ କ୍ଷେତ୍ର ଭାବେ ଦର୍ଶାଯାଇଛି। ଏହି କ୍ଷେତ୍ର ମାଧ୍ୟମରେ ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଓଡ଼ିଶା ଶିଳ୍ପ ନୀତି ଭଳି ବାୟୋଟେକ୍ନୋଲୋଜି ନୀତି ୨୦୨୪ରେ ମଧ୍ୟ ଏହି କ୍ଷେତ୍ରର ଉଦ୍ୟୋଗ ଓ ନିବେଶକମାନଙ୍କ ପାଇଁ ଏକାଧିକ ପ୍ରୋତ୍ସାହନ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା

  • ଓଡ଼ିଶାରେ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ଵାରା ବାୟୋଟେକ୍ ପାର୍କର ବିକାଶ ପାଇଁ ସହାୟତା।
  • ରାଜ୍ୟରେ ବାୟୋଟେକ୍ନୋଲୋଜି ପ୍ଲାଣ୍ଟ ଓ ମେସିନାରୀ ଲଗାଇବା ପାଇଁ କମ୍ପାନିଗୁଡ଼ିକୁ ସବସିଡି ପ୍ରଦାନ କରାଯିବ।  
  • ଉଚ୍ଚସ୍ତରୀୟ ଜ୍ଞାନକୌଶଳ ବ୍ୟବହାର କରି ବାୟୋଟେକ୍ନୋଲୋଜିର ପ୍ରମୁଖ କ୍ଷେତ୍ରରେ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟରେ କାର୍ଯ୍ୟକରୁଥିବା ବଡ଼ ବାୟୋଟେକ୍ନୋଲୋଜି କମ୍ପାନିଗୁଡ଼ିକୁ ସୁବିଧାରେ ଋଣ ଦିଆଯିବ।
  • ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ଅଧିଗ୍ରହଣ ଓ ଉନ୍ନତିକରଣ ପାଇଁ କମ୍ପାନିଗୁଡ଼ିକୁ ସବସିଡି ପ୍ରଦାନ କରାଯିବ।
  • ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ଯୋଗ୍ୟ ବାୟୋଟେକ୍ନୋଲୋଜି କମ୍ପାନିଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। ଏହା କେବଳ ଉକ୍ତ କମ୍ପାନିରେ ବୈଷୟିକ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଲାଗୁ ହେବ।
  • ରାଜ୍ୟରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ପେଟେଣ୍ଟ, ଜିଆଇ, ଟ୍ରେଡମାର୍କ ଏବଂ ଡିଜାଇନ୍ ପଞ୍ଜୀକରଣ ଭଳି କାର୍ଯ୍ୟରେ ଆର୍ଥିକ କ୍ଷତି ସହିଥିବା କମ୍ପାନିଗୁଡ଼ିକୁ କ୍ଷତିପୂରଣ ଦିଆଯିବ।
  • ଏହି ନୀତିର ଅବଧି ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗୁଣାତ୍ମକ ପ୍ରମାଣପତ୍ର ହାସଲ କରିବା ପାଇଁ ବାୟୋଟେକ୍ନୋଲୋଜି ଉଦ୍ୟୋଗକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।
  • ଜାତୀୟ କିମ୍ବା ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ନିଜର ଉତ୍ପାଦ ପ୍ରଦର୍ଶନ କରିଥିବା ଯୋଗ୍ୟ ବାୟୋଟେକ୍ନୋଲୋଜି ଉଦ୍ୟୋଗ ତଥା ଷ୍ଟାର୍ଟଅପମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ।     

ଓଡ଼ିଶା ବାୟୋଟେକ୍ନୋଲୋଜି ନୀତିରେ ପରିକଳ୍ପିତ ବିଭିନ୍ନ କାର୍ଯ୍ୟର ସଫଳ ରୂପାୟନ, ତଦାରଖ ଏବଂ ମୂଲ୍ୟାଙ୍କନ ପାଇଁ ଏକ ଉତ୍ସର୍ଗୀକୃତ ବାୟୋଟେକ୍ନୋଲୋଜି ନିର୍ଦ୍ଦେଶାଳୟ ଗଠନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ରାଜ୍ୟରେ ବାୟୋଟେକ୍ନୋଲୋଜି କ୍ଷେତ୍ରର ବିକାଶ ପାଇଁ ଏହି ନିର୍ଦ୍ଦେଶାଳୟର କାର୍ଯ୍ୟ କରିବ।

ସେହିଭଳି ରାଜ୍ୟରେ ବାୟୋଟେକ୍ନୋଲୋଜିର ବିଭିନ୍ନ ନୀତି ସମ୍ବନ୍ଧୀୟ ପ୍ରସଙ୍ଗରେ ବିଚାର କରିବା ଏବଂ ଏହି କ୍ଷେତ୍ରର ଏକ ଥିଙ୍କଟ୍ୟାଙ୍କ ତଥା ପରାମର୍ଶଦାତା ସଂସ୍ଥା ଭାବରେ କାର୍ଯ୍ୟ କରିବା ପାଇଁ ସରକାର ‘ଓଡ଼ିଶା ବାୟୋଟେକ୍ ଭିଜନ ଗ୍ରୁପ୍’ (ଓବିଭିଜି) ଗଠନ କରିବେ। ଏଥିରେ ବାୟୋଟେକ୍ନୋଲୋଜି କ୍ଷେତ୍ରର ଶିକ୍ଷାନୁଷ୍ଠାନ, ଉଦ୍ୟୋଗୀ, ଗବେଷକ, ବିଶେଷଜ୍ଞ ତଥା ଅନ୍ୟ ଅଂଶୀଦାରମାନେ ସଦସ୍ୟ ରହିବେ।

ଓଡ଼ିଶା ସରକାରଙ୍କ ଦ୍ଵାରା ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଓଡିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪ କାର୍ଯ୍ୟକାରୀ ହେବ। ଏହା ୫ ବର୍ଷ କିମ୍ବା ଅନ୍ୟ କୌଣସି ବାୟୋଟେକ୍ନୋଲୋଜି ନୀତି ଆସିବା ଯାଏଁ ବଳବତ୍ତର ରହିବ।

ଓଡ଼ିଶା ପ୍ରାକୃତିକ ପରିବେଶର ଅପୂର୍ବ ଗନ୍ତାଘର। ଏଠାରେ ରହିଛି ବିସ୍ତୃତ ଓ ଘଞ୍ଚ ଜଙ୍ଗଲ, ସବୁଜିମା ଓ ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ପ୍ରମୁଖ ନଦୀ ଏବଂ ୪୮୦ କିଲୋମିଟର ବ୍ୟାପି ବେଳାଭୂମି। ଏହାସହିତ ରହିଛି ହେନ୍ତାଳ ବଣରେ ପରିପୂର୍ଣ୍ଣ ଭିତରକନିକା, ଏସିଆ ମହାଦେଶର ବୃହତ୍ତମ ଲୁଣିପାଣି ହ୍ରଦ ଚିଲିକା ଏବଂ ଜୈବ ବିବିଧତାରେ ପରିପୂର୍ଣ୍ଣ ଶିମିଳିପାଳ ଭଳି ଅଭୟାରଣ୍ୟ। ଏହାସହିତ ରାଜ୍ୟରେ କୃଷି କ୍ଷେତ୍ରରେ ଥିବା ବିବିଧତା ମଧ୍ୟ ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ସମୃଦ୍ଧ କରୁଛି।

ନୂଆ ନୀତି ଓ ଏହିସବୁ ପ୍ରାକୃତିକ ଉତ୍ସକୁ ଆଧାରକରି ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା ସହ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ କରାଯାଇ ପାରିଲେ ଓଡ଼ିଶା ବାୟୋ-ଅର୍ଥନୀତିରେ ସମୃଦ୍ଧ ହୋଇପାରିବ।

Tags: #OdishaBiotechnologyPolicy2024 #BioTechnology #BiotechStartups #Bio-Economy #DeptofScience&Technology #Odisha

Comment