ଓଡ଼ିଶାଲାଇଭ୍ ବ୍ୟୁରୋ

ମା’, ମାଟି ଓ ମାତୃଭାଷାର ସେବାରେ ସମର୍ପିତ ହେବାକୁ ଆହ୍ଵାନ ଦେଲା ‘ଭୁବନେଶ୍ୱର ସାହିତ୍ୟ ପର୍ବ’।   

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ‘ଭୁବନେଶ୍ୱର ସାହିତ୍ୟ ପର୍ବ’ ଉଦଯାପିତ ହୋଇଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟର ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ କବି, ଲେଖକ ଓ ପ୍ରକାଶକ ଯୋଗ ଦେଇଥିଲେ।

ରବିବାର ଭୁବନେଶ୍ୱର ସାହିତ୍ୟ ପର୍ବର ଉଦଯାପନୀ ସଭାରେ ଜର୍ମାନୀର ଲେଖିକା ତଥା ଅନୁବାଦିକା ଉତ୍ତେ ଐସିଞ୍ଜର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ସହିତ ତାଙ୍କର ସମ୍ପୃକ୍ତି ଏବଂ ଓଡ଼ିଆ ସାହିତ୍ୟକୁ ବିଶ୍ଵ ପ୍ରସାରିତ କରିବା ଦିଗରେ ସେ ମତବ୍ୟକ୍ତ କରିଥିଲେ।

ସେହିପରି ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଏବଂ ‘ଧରିତ୍ରୀ’ର ସମ୍ପାଦକ ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ସବୁ ଭାଷା ଶିଖିବା ସହ ମାତୃଭାଷାର ମହତ ରକ୍ଷା କରିବା ପାଇଁ ସେମାନେ ଆହ୍ଵାନ କରିଥିଲେ।

“ଭାଷା ଓ ସାଂସ୍କୃତିକ ବିବିଧତା ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ। ଆମ ସମାଜ ସବୁ ପରିବର୍ତ୍ତନକୁ ସ୍ଵାଗତ କରିବା ସହ ନିଜର ସ୍ଵତନ୍ତ୍ରତାକୁ ସବୁବେଳେ ପ୍ରତିପାଦିତ କରିଆସିଛି। ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କାମ କରୁଥିବା ଲୋକମାନେ ଏହାର ଅସ୍ମିତା ଓ ସ୍ଵାଭିମାନକୁ ଦୃଷ୍ଟିରେ ରଖି ଏକ ଅର୍ଥପୂର୍ଣ୍ଣ ଭବିଷ୍ୟତ ନିର୍ମାଣରେ ଅଂଶୀଦାର ହେବା ଆବଶ୍ୟକ”, କହିଛନ୍ତି ତଥାଗତ ଶତପଥୀ।

ଏହି କାର୍ଯ୍ୟକ୍ରମରେ ‘ଓଡ଼ିଆ ପ୍ରକାଶନ: ଆହ୍ଵାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହାସହ କିନ୍ନରମାନଙ୍କ ଜୀବନଧାରା, ସ୍ଵପ୍ନ ଓ ସମସ୍ୟା ସମ୍ପର୍କିତ ଆଲୋଚନା ଚକ୍ର ବେଶ୍ ଆକର୍ଷଣୀୟ ରହିଥିଲା।

ସେହିପରି କାର୍ଯ୍ୟକ୍ରମରେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ନିଜର କ୍ୟାରିୟର ବାବଦରେ ଚଳଚ୍ଚିତ୍ର ଗବେଷକ ସୂର୍ଯ୍ୟ ଦେଓଙ୍କ ସହ ଆଲୋଚନା କରିଥିଲେ। ଏଠାରେ କବିତା ପାଠ, ସାହିତ୍ୟ ଚର୍ଚ୍ଚା ସହ କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ମାଟିର ମଣିଷ’ ପ୍ରଦର୍ଶିତ ହୋଇଥିଲା।

ଭୁବନେଶ୍ୱର ସାହିତ୍ୟ ପର୍ବର ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ପ୍ରସନ୍ନ କୁମାର ସ୍ଵାଇଁ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରଦୀପ କୁମାର ବାରିକ, ସର୍ବଶ୍ରୀ ନନ୍ଦ କିଶୋର ବିଶ୍ଵାଳ, ଡକ୍ଟର ଅଭୟ ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ସଭାପତି ସୂର୍ଯ୍ୟ ମିଶ୍ର, କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Tags: #BhubaneswarSahityaParba #LiteraryProgramme #BhubaneswarSahityaSamajTrust #OdiaLanguage #Odisha

LEAVE A REPLY

Please enter your comment!
Please enter your name here