ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭଯୋଗରେ ମଙ୍ଗଳବାର ଦିନ ମାଲକାନଗିରି, ଭୁବନେଶ୍ଵର ଏବଂ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ସମେତ ସଞ୍ଜୟ ମହାନ୍ତିଙ୍କର ୭ଟି ଠିକଣା ଉପରେ ଏକା ସାଙ୍ଗରେ ଚଢ଼ଉ କରାଯାଇଥିଲା।

ଚଢ଼ଉ ବେଳେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କର ଜଳେଶ୍ଵର ସହର ଏବଂ ଏହାର ପାଖ ଅଞ୍ଚଳରେ ୧୧ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ ବିଭାଗ। ଏହା ସହ ଜଳେଶ୍ଵରର ଦେଉଳିପଞ୍ଚୁଘାଣ୍ଟରେ ଗୋଟିଏ ୩ ମହଲା ବିଶିଷ୍ଟ କୋଠା, ଭୁବନେଶ୍ଵର ରଘୁନାଥପୁରରେ ଥିବା ଗ୍ରୀନ ହୋମସ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ତାଙ୍କ ଘରୁ ନଗଦ ୧ ଲକ୍ଷ ୪୩ ହଜାର ଟଙ୍କା ଜବତ କରାଯାଇଛି।

ସଞ୍ଜୟ ମହାନ୍ତି ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ, ବୀମା ସହ ଅନ୍ୟାନ୍ୟ ସ୍ଥାନରେ ଟଙ୍କା ଜମା ରଖିଛନ୍ତି। ତାଙ୍କର ଗୋଟିଏ କାର ଏବଂ ଦୁଇଟି ବାଇକ ଥିବା ଚଢ଼ଉ ବେଳେ ଜଣାପଡ଼ିଛି।

ସଞ୍ଜୟ ମହାନ୍ତିଙ୍କର ୩ ମହଲା କୋଠାଟି ୧୦ ହଜାର ବର୍ଗଫୁଟ୍‌ ଅଞ୍ଚଳରେ ତିଆରି ହୋଇଛି। ସେହିପରି ଭୁବନେଶ୍ୱରରେ ଥିବା ଫ୍ଲାଟଟି ୧୨୦୦ ବର୍ଗଫୁଟର ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଦୁଇ ଘର ସହିତ ତାଙ୍କ ପ୍ଲଟଗୁଡ଼ିକର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ ମାପଚୁପ ଓ ହିସାବ ଜାରି ରଖିଛନ୍ତି। 

କନିଷ୍ଠ ଯନ୍ତ୍ରୀ ସଞ୍ଜୟଙ୍କର ମାଲକାନଗିରିରେ ଥିବା ଭଡ଼ା ଘର ଓ କାର୍ଯ୍ୟାଳୟ, ଜଳେଶ୍ୱରରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ ଓ ପୋଖରୀପୁଟରେ ଥିବା ଶ୍ୱଶୁର ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏପରିକି କନିଷ୍ଠ ଯନ୍ତ୍ରୀ ମାଲକାନଗିରିରେ ଯେଉଁ ଘରେ ଭଡ଼ାରେ ରହୁଛନ୍ତି, ତା’ର ମାଲିକଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି।

Tags: #VigilanceRaid #MalkangiriJE #SanjayKumarMohanty #Odisha

LEAVE A REPLY

Please enter your comment!
Please enter your name here