ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ବର୍ଷ ୨୦୨୪-୨୫ରେ ଓଡ଼ିଶା ପାଇଁ ରେଳ ବଜେଟରେ ୧୦ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ରାଜ୍ୟରେ ବିଭିନ୍ନ ସହର ମଧ୍ୟରେ ବନ୍ଦେ ମେଟ୍ରୋ ଟ୍ରେନ ଚଳାଚଳ କରିବାକୁ ଯୋଜନା ହୋଇଛି। ଏନେଇ ଗୁରୁବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ପୂର୍ବ ବଜେଟରେ ରେଳ କ୍ଷେତ୍ରରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ମିଳିଥିଲା। ତେବେ ଚଳିତ ବଜେଟରେ ଏଥିରେ ୫୨୪ କୋଟି ଟଙ୍କାର ବୃଦ୍ଧି ହୋଇଛି।

“କେନ୍ଦ୍ର ସରକାର ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶକୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ଗତ ୩ ବର୍ଷ ହେଲା ଓଡ଼ିଶାକୁ ରେଳ ବଜେଟରେ ହାରାହାରି ୧୦ ହଜାର କୋଟି ଟଙ୍କା ମିଳୁଛି। ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶାକୁ ଅବହେଳା କରାଯାଉଥିଲା। ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି”, କହିଛନ୍ତି ଅଶ୍ୱିନୀ ବୈଷ୍ଣବ।

ସେ ଆହୁରି ମଧ୍ୟ କହିଛନ୍ତି, “ଆଗରୁ ଓଡ଼ିଶାରେ ବର୍ଷକୁ ମାତ୍ର ୫୦ କିଲୋମିଟରର ନୂଆ ରେଳ ଲାଇନର ନିର୍ମାଣ ହେଉଥିଲା। ଏବେ ବର୍ଷକୁ ୪୭୩ କିଲୋମିଟରର ନୂଆ ଲାଇନ ବିଛାଯାଉଛି। ରାଜ୍ୟ ସରକାର ଶୀଘ୍ର ଜମି ଅଧିଗ୍ରହଣ କଲେ କାମ ଆହୁରି ଦ୍ରୁତ ଗତିରେ ହୋଇପାରିବ।”

ସେହିପରି ଆଗକୁ ଓଡ଼ିଶାରେ କଟକ, ଭୁବନେଶ୍ଵର ଓ ପୁରୀ ମଧ୍ୟରେ ବନ୍ଦେ ମେଟ୍ରୋ ଟ୍ରେନ ଚଳାଚଳ କରିବ। ଏହାପରେ ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା ତାଳଚେର ତଥା ଅନୁଗୁଳ ମଧ୍ୟରେ ବନ୍ଦେ ମେଟ୍ରୋ ଚଳାଚଳ ବିଷୟରେ ବିଚାର କରାଯିବ ବୋଲି ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ରାଜ୍ୟରେ ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକର କାମକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ଵ ଦିଆଯିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି। ଚଳିତ ଅନ୍ତରୀଣ ବଜେଟରେ ରେଳ ବିଭାଗ ପାଇଁ ମୋଟ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Tags: #InterimBudget2024 #RailwaySector #Odisha #AshwiniVaishnaw #MinistryofRailways #India

LEAVE A REPLY

Please enter your comment!
Please enter your name here