ଭାସ୍କର ପରିଚ୍ଛା

ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ୨୩ ଶତାଂଶ ଆଦିବାସୀ। ସେମାନଙ୍କର ମୋଟ ସଂଖ୍ୟା ପ୍ରାୟ ୧ କୋଟି ଏବଂ ଦେଶର ଜନସଂଖ୍ୟାର ପ୍ରାୟ ୦.୮୦ ଭାଗ। ଏହାଛଡ଼ା ଭାରତର ମୋଟ ଆଦିବାସୀଙ୍କ ମଧ୍ୟରୁ ପ୍ରାୟ ୧୦ ଭାଗ ଓଡ଼ିଶାରେ ବସବାସ କରନ୍ତି। ଓଡ଼ିଶାରେ ୧୩ ପ୍ରକାର ଆଦିମ ଅଧିବାସୀଙ୍କ ସମେତ ୬୨ ବର୍ଗର ଆଦିବାସୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବିଲୁପ୍ତ ପ୍ରାୟ ଓ ବିପନ୍ନ।
ଓଡ଼ିଶାର ଆଦିବାସୀମାନେ ପାରମ୍ପରିକ ଭାବେ ପାହାଡ଼ ପର୍ବତ ଘେରା ଜଙ୍ଗଲାଞ୍ଚଳ ଓ ଅଗମ୍ୟ ଇଲାକାରେ ବସବାସ କରୁଥିବାରୁ ସେମାନଙ୍କ ପାଖରେ ଆଧୁନିକ ସୁବିଧା ସୁଯୋଗ ଓ ସରକାରୀ ଯୋଜନାର ଲାଭ ପହଞ୍ଚିବା କଷ୍ଟସାଧ୍ୟ। ତଥାପି ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ରାଜ୍ୟର ଆଦିବାସୀମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ରୋଜଗାର, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅପେକ୍ଷାକୃତ ଭଲ ପ୍ରଗତି କରୁଛନ୍ତି।
ସେମାନଙ୍କ ବିକାଶଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ନିକଟରେ ଏକାଧିକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଅନୁମୋଦନ କରିଛନ୍ତି। ସେଥିମଧ୍ୟରୁ ‘ଲାଭ’ (ଲଘୁ ବନଜାତ ଦ୍ରବ୍ୟ କ୍ରୟ) ଯୋଜନା ଅନ୍ୟତମ। ଏହି ଯୋଜନାରେ ରାଜ୍ୟ ସରକାର ମିଶନ ଶକ୍ତି ଓ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ଆଦିବାସୀଙ୍କଠାରୁ ଲଘୁ ବନଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରିବେ।
ଏଥିପାଇଁ ସବୁ ବ୍ୟୟ ରାଜ୍ୟ ସରକାର ବହନ କରିବେ ଓ ପ୍ରତିବର୍ଷ ପ୍ରତ୍ୟେକ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସଂଗ୍ରହ ଋତୁ ପୂର୍ବରୁ ସରକାରୀ ଭାବେ ଘୋଷଣା କରାଯିବ। ସେହି ମୂଲ୍ୟ ଅନୁସାରେ ଆଦିବାସୀମାନେ ସଂଗ୍ରହ କରିଥିବା ଲଘୁ ବନଜାତ ଦ୍ରବ୍ୟକୁ ଆଦିବାସୀ ବିକାଶ ସମବାୟ ଲିମିଟେଡ୍ (ଟିଡିସିସିଏଲ୍) କେନ୍ଦ୍ରରେ ବିକ୍ରି କରି ପଇସା ପାଇବେ।
ଆଗରୁ ମଧ୍ୟସ୍ଥ ଓ ବେପାରୀମାନଙ୍କ ଦ୍ୱାରା ଏସବୁ ସାମଗ୍ରୀ ଆଦିବାସୀଙ୍କଠାରୁ ସଂଗ୍ରହ ହେଉଥିଲା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ତଥା ବିଧିବଦ୍ଧ ସଂଗ୍ରହ ବ୍ୟବସ୍ଥା ନଥିବାରୁ ସେମାନେ ଶୋଷଣର ସମ୍ମୁଖୀନ ହେଉଥିଲେ। ନୂଆ ବ୍ୟବସ୍ଥା ଠିକଣା ଭାବେ କାର୍ଯ୍ୟକାରୀ ହେଲେ ଆଦିବାସୀମାନେ ନିଶ୍ଚିତ ରୋଜଗାର ପାଇବେ ଓ ଠକାମିର ସମ୍ମୁଖୀନ ହେବେ ନାହିଁ। ଏହା ସେମାନଙ୍କୁ ସଶକ୍ତ କରିବ।
ଏହାଛଡ଼ା ଆଦିବାସୀଙ୍କ ଜମିକୁ ଅଣଆଦିବାସୀମାନେ କିଣିବା ନେଇ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ପରବର୍ତ୍ତୀ ସମୟରେ ତାକୁ ସ୍ଥଗିତ ରଖାଗଲା ଓ ପରେ ପ୍ରତ୍ୟାହାର କରାଯାଇଥିଲା। ରାଜନୈତିକ ବିବାଦ ଓ କେତେକ ମହଲର ବିରୋଧ ଯୋଗୁଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଅଣଆଦିବାସୀମାନେ ଆଦିବାସୀଙ୍କ ଜମି କିଣି ସେମାନଙ୍କୁ ପ୍ରକାରାନ୍ତରେ ଭୂମିହୀନ କରିପାରିବେ ନାହିଁ। ଏହା ଛ’ଟି ଜିଲ୍ଲା ସମେତ ଅନ୍ୟ ୭ଟି ଜିଲ୍ଲାର ବିଜ୍ଞାପିତ ଅନୁସୂଚିତ କ୍ଷେତ୍ର ପାଇଁ ଲାଗୁ ହେବ।
ଓଡ଼ିଶାର ଆଦିବାସୀମାନଙ୍କ ମଧ୍ୟରୁ ଏଯାଏଁ ଅନେକ ସଂରକ୍ଷଣ ସୁବିଧାରୁ ବଞ୍ଚିତ। ସେମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ହୋଇଥିଲେ ମଧ୍ୟ ଅନେକ ଆଦିବାସୀ ସମ୍ପ୍ରଦାୟ ତଫସିଲଭୁକ୍ତ ଉପଜାତି ତାଲିକାରେ ସ୍ଥାନ ପାଇପାରିନାହାନ୍ତି। ଏହା ପଛରେ କେତେକ ବୈଷୟିକ ତ୍ରୁଟି ଓ ଅଯୌକ୍ତିକ କାରଣ ରହିଛି। ସେମାନଙ୍କୁ ସଂରକ୍ଷଣର ସୁବିଧା ଦେବାକୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏ କ୍ଷେତ୍ରରେ ସଫଳତା ମିଳିପାରୁ ନାହିଁ।
ସେହିଭଳି ମୁଣ୍ଡାରୀ, କୁଇ ଏବଂ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବାର ଦାବି ଦୋହରାଇ ରାଜ୍ୟ ସରକାର ଏକ ପ୍ରସ୍ତାବ ପାରିତ କରିଛନ୍ତି। ଅନେକ ଦିନରୁ ଏହି ଦାବି ହୋଇଆସୁଛି।
ରାଜ୍ୟର ଆଦିବାସୀମାନେ ନିଜ ନିଜର ଭାଷାର ସଂରକ୍ଷଣ ଓ ବିକାଶ ସହିତ ନିଜର ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ବଜାୟ ରଖିବାକୁ ସଚେତନ ହେବାକୁ ଆରମ୍ଭ କରିଛନ୍ତି। ସେ ଦୃଷ୍ଟିରୁ ରାଜ୍ୟ ସରକାର ଆଦିବାସୀ ଭାଷା ସମୂହର ସଂରକ୍ଷଣ ଓ ବିକାଶ ପାଇଁ ଏକ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହା ମାଧ୍ୟମରେ ୨୧ଟି ଆଦିବାସୀ ଭାଷାର ସଂରକ୍ଷଣ ଓ ବିକାଶ କରାଯିବ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ପରାମର୍ଶଦାତା ସମ୍ପାଦକ)
Tags: #OdishGovt #LABHAscheme #TribalsOfOdisha










