ଓଡ଼ିଶାଲାଇଭ୍ ବ୍ୟୁରୋ

(ପୁରୀ): ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡର ମିଳିତ ସହଯୋଗରେ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ୟୁନିସେଫ ଓଡ଼ିଶାର ମୁଖ୍ୟ ୱିଲ୍ଲିୟମ ଜେ ହାନଲୋନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।  

“ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଅନେକ କିଶୋରୀ ନିଜର ବାଲ୍ୟ ବିବାହକୁ ନା କହିପାରୁଛନ୍ତି। ଆତ୍ମନିର୍ଭରଶୀଳ ହେବା ସହ ସମାଜରେ ପରିବର୍ତ୍ତନ ଆଣିବାରେ କିଶୋରୀମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି”, ହାନଲୋକ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ବିଭାଗର ଅନୁସଚିବ ଆଶୁତୋଷ ବେହେରା ଯୋଗଦେଇ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିବା ୫୦ ଜଣ ସାହସୀ କିଶୋରୀଙ୍କୁ ସାମାଜିକ ପରିବର୍ତ୍ତନରେ ଯୋଗଦାନ ଲାଗି ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ କାର୍ଯ୍ୟଖସଡ଼ା ଅନୁସାରେ ଆଗାମୀ ୨୦୩୦ ମସିହା ବେଳକୁ ଓଡ଼ିଶା ଏକ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବାନେଇ ଆଶାବ୍ୟକ୍ତ କରିଛନ୍ତି ଆଶୁତୋଷ ବେହେରା।

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ସସ୍ମିତା ନନ୍ଦ ଏହି ଅବସରରେ କହିଥିଲେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଶିଶୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ସବୁବେଳେ ଯତ୍ନବାନ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କିଶୋରୀ ବାଳିକାମାନେ ଅଦ୍ଵିକା କାର୍ଯ୍ୟକ୍ରମ ଦ୍ଵାରା କିପରି ଜୀବନରେ ସଫଳତା ପାଇପାରିଛନ୍ତି ସେ ସମ୍ପର୍କରେ କହିଥିଲେ।

ସମ୍ମିଳନୀର ଦ୍ଵିତୀୟ ଦିନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକା ରାକ୍ଷୀ ଘୋଷ ଓ ରେଡିଓ ନମସ୍କାରର ମୁଖ୍ୟ ନସିମ ଶାହା ଅନସାରି ପ୍ରମୁଖ ଯୋଗ ଦେଇ ସରକାରଙ୍କ ତରଫରୁ କିଶୋରୀମାନଙ୍କ ସଶକ୍ତିକରଣ ପାଇଁ ନିଆଯାଇଥିବା ବିଭିନ୍ନ ଯୋଜନା ଓ ସୁଯୋଗ ବିଷୟରେ ଆଲୋକପାତ କରିଥିଲେ।

ଆକ୍ସନଏଡର ସହକାରୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଗାମୀ ଦିନରେ ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡର ମିଳିତ ପ୍ରୟାସରେ ଚାଲିଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଆକ୍ସନଏଡର ଜାତୀୟ ଶିଶୁ ଅଧିକାର କାର୍ଯ୍ୟକ୍ରମର ମୁଖ୍ୟ ଘାସିରାମ ପଣ୍ଡାଙ୍କ ସଂଯୋଜନାରେ ରାଜ୍ୟର ୨୫ଟି ଜିଲ୍ଲାରୁ ଶତାଧିକ ସଖୀ ସହେଲି ଏହି ସମ୍ମିଳନୀରେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ‘ବାଲ୍ୟ ବିବାହକୁ ନା ବିଦ୍ୟାଳୟକୁ ହଁ’ ଅଭିଯାନର ସଫଳତା ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ ଓଡ଼ିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ମାନା ଦେ, ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୁତିପ୍ରସାଦ ପ୍ରମୁଖ ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରିବା ଓ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ରାଜ୍ୟର ଅଦ୍ଵିକା କାର୍ଯ୍ୟକ୍ରମରେ ଭାଗ ନେଇଥିବା ସଫଳ ସଖୀ ସାହେଲୀମାନଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଶ୍ରେଷ୍ଠ ୫୦ ଜଣ ସଖୀ ସହେଲୀଙ୍କୁ ପ୍ରଶଂସାପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥି।

Tags: #StateLevelSakhiSaheliProgram #Puri #Odisha #OdishGovt #AdvikaProgram

Comment