ଭାସ୍କର ପରିଚ୍ଛା
ଦେଶର ଅର୍ଥନୀତିକୁ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତିରେ ପରିଣତ କରିବାରେ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରୋନିକ ଭେଇକିଲର (ଇଭି) ଗୁରୁତ୍ୱ ଅତି ଅଧିକ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ପରିବହନରେ ଶକ୍ତି ଉତ୍ସ ପରିବର୍ତ୍ତନର ଭୂମିକା ସର୍ବାଗ୍ରେ ରହିବ।
ତେବେ ଦେଶର ମୋଟ ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ପରିବହନ ବ୍ୟବସ୍ଥାରୁ ପାରମ୍ପରିକ ଇନ୍ଧନଚାଳିତ ଯାନ ହଟାଇ ବିଦ୍ୟୁତଚାଳିତ ବାହନର ଚଳାଚଳ ବୃଦ୍ଧି କରିବାକୁ ହେବ। ଏହି କାମ ଟି ଆପଣାଛାଏଁ ହେବ ନାହିଁ; ଏଥିପାଇଁ ଉପଯୁକ୍ତ ନୀତି ପ୍ରଣୟନ ଓ ତାହାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।
ଏ କ୍ଷେତ୍ରରେ ସରକାର ଯେଉଁସବୁ କାର୍ଯ୍ୟ କରୁଛନ୍ତି, ତାହା ନିଶ୍ଚିତ ଉତ୍ସାହପ୍ରଦ। ଇଭି ପାଇଁ ଉପଯୁକ୍ତ ଟିକସ ଢାଞ୍ଚା, ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଓ ଚାର୍ଜିଂ ପଏଣ୍ଟ ସ୍ଥାପନ ଭଳି ମୌଳିକ ଭିତ୍ତିଭୂମି ସୃଷ୍ଟି କରିବାକୁ ପଡ଼ିବ। ସର୍ବୋପରି ଇଭି ଉତ୍ପାଦନକୁ ସବୁମନ୍ତେ ପ୍ରୋତ୍ସାହନ ଦେବାକୁ ହେବ।
ଭାରତରେ ଗମନାଗମନ ବ୍ୟବସ୍ଥାଠାରୁ ମାଲ୍ ପରିବହନ ବ୍ୟବସ୍ଥାରେ ଅଧିକ ଜୈବିକ ଇନ୍ଧନ ବ୍ୟବହାର ହୋଇଥାଏ। ଏହି ପେଟ୍ରୋଲିୟମ ଇନ୍ଧନ ଅଧିକ ପରିବେଶ ପ୍ରଦୂଷଣକାରୀ। ଭାରତ ଏଥିରେ ଆତ୍ମନିର୍ଭର ହୋଇ ନଥିବାରୁ ବିଦେଶରୁ ପ୍ରଚୁର ପରିମାଣରେ ତୈଳ ଆମଦାନି କରେ। ଏଥିପାଇଁ ଆମ ବୈଦେଶିକ ବିନିମୟ ମୁଦ୍ରାର ଏକ ବଡ଼ଭାଗ ଖର୍ଚ୍ଚ ହୋଇଥାଏ, ଯାହା ଅନ୍ୟାନ୍ୟ ବିକାଶମୂଳକ ଓ ଉତ୍ପାଦନଭିତ୍ତିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରନ୍ତା।
ଭାରତରେ ଏବେ ଶକ୍ତି ଉତ୍ସର ପରିବର୍ତ୍ତନ ଉପରେ ଅଗ୍ରାଧିକାର ଦିଆଯାଇ ଅଣପାରମ୍ପରିକ ବା ବିକଳ୍ପ ଇନ୍ଧନ ଅଧିକରୁ ଅଧିକ ଉତ୍ପାଦନ କରାଯାଉଛି। ଏଥିରେ ସୌର, ପବନ, ଜଳ, ବାୟୋଗ୍ୟାସ୍ ଓ ହାଇଡ୍ରୋଜେନ୍ ଶକ୍ତିର ବ୍ୟବହାର ବୃଦ୍ଧି ପାଇଛି।
ସେହିପରି ଅକ୍ଷୟଶକ୍ତି ବିକାଶ କ୍ଷେତ୍ରରେ ସରକାର ଶତପ୍ରତିଶତ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଅନୁମୋଦନ କରିଛନ୍ତି। ଏଥିସହିତ ଦେଶରେ ବିଦ୍ୟୁତ୍ ଚାଳିତ ଯାନର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ପାଇଁ ଗୁରୁତ୍ୱ ଦିଆଯାଉଛି।
୨୦୨୨-୨୩ ଅର୍ଥନୈତିକ ସର୍ଭେ ରିପୋର୍ଟର ତଥ୍ୟ ଅନୁସାରେ ୨୦୩୦ ବେଳକୁ ଭାରତରେ ବାର୍ଷିକ ୧ କୋଟି ବିଦ୍ୟୁତ୍ ଚାଳିତ ଯାନ ବିକ୍ରି ହେବ। ଏହା ଏକ ଅବାସ୍ତବ ଆକଳନ ନୁହେଁ। ଏହାର କାରଣ ହେଲା ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ବୈଦ୍ୟୁତିକ ଯାନର ବଜାର ପ୍ରତି ବିଶ୍ୱର ପ୍ରମୁଖ ନିବେଶକ ଓ ନିର୍ମାତା ଅଧିକ ଆକୃଷ୍ଟ ହେଉଛନ୍ତି। ସେଥିପାଇଁ ସ୍ୱାଭାବିକ ଭାବେ ସମ୍ପୃକ୍ତ ଯାନର ଉତ୍ପାଦନ ବଢ଼଼ିବ।
ଏହି ଅର୍ଥନୈତିକ ସର୍ବେକ୍ଷଣର ତଥ୍ୟ ଅନୁସାରେ ଇଭି କ୍ଷେତ୍ରରେ ୫ କୋଟିରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯେଉଁ କ୍ଷେତ୍ରର ଅଭିବୃଦ୍ଧି ହାର ଭଲ, ସେ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସେତେ ଅଧିକ।
ତେବେ ଇଭି କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ନୀତି କେବଳ ଯଥେଷ୍ଟ ନୁହେଁ। ଏଥିରେ ପ୍ରାଦେଶିକ ସହଯୋଗ ଅଧିକ ରହିବା ଆବଶ୍ୟକ। ରାଜ୍ୟମାନେ ଏ କ୍ଷେତ୍ରରେ ପ୍ରଗତିଶୀଳ ଆଭିମୁଖ୍ୟ ପ୍ରଦର୍ଶନ ନ କଲେ ଦେଶର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ।
ଇଭି କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ
ଓଡ଼ିଶା ସରକାର ମଧ୍ୟ ପାରାଦୀପ ଓ କଟକ ନିକଟସ୍ଥ ନରାଜରେ ଇଭି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଏହାକୁ ନିକଟରେ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ରାଜ୍ୟରେ ଏହି ବୈଦ୍ୟୁତିକ ଯାନ ଓ ଇଭି ଉପକରଣ ନିର୍ମାଣ କରିବ ଏବଂ ଏଥିପାଇଁ ୧୧ ହଜାର ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ। ନିଯୁକ୍ତିଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ପ୍ରକଳ୍ପ ସଫଳ ହେଲେ ଏହା ରାଜ୍ୟର ଇଭି ଇକୋସିଷ୍ଟମକୁ ତ୍ୱରାନ୍ୱିତ କରିବ। ଏଥିପାଇଁ ଜେଏସଡବ୍ଲ୍ୟୁ ଗ୍ରୁପକୁ ସରକାର ନରାଜରେ ୧,୧୦୦ ଏକର ଜମି ରିହାତି ମୂଲ୍ୟରେ ଶିଳ୍ପ ପାଇଁ ଯୋଗାଇ ଦେବେ। ଏହାଛଡ଼ା କମ୍ପାନୀକୁ ୧୦ କ୍ୟୁସେକ୍ ଲିଟର ପାଣି ଓ ୨୨୦ କେଭି ବିଜୁଳି ସରକାର ଯୋଗାଇବେ।
କମ୍ପାନୀର ଇଭି ପ୍ରକଳ୍ପ ୫୦ ପ୍ରତିଶତ ପୁଞ୍ଜି ରିହାତି ପାଇବ। ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ ପାଇଁ ୩୦ ଶତାଂଶ ରିହାତି ଦେଉଥିବା ବେଳେ ଇଭି ପ୍ରକଳ୍ପ ପାଇଁ ଅଧିକ ୨୦ ପ୍ରତିଶତ ରିହାତି ପ୍ରଦାନ କରିବେ। ଏହା ନରାଜରେ ଜିନ୍ଦଲ ଶିଳ୍ପ ଗୋଷ୍ଠୀର ଦ୍ୱିତୀୟ ଇଭି ପ୍ଲାଣ୍ଟ ହେବାକୁ ଯାଉଛି।
ନରାଜରେ ମୁଖ୍ୟତଃ ବିଦ୍ୟୁତଚାଳିତ ଯାନ ଓ ବ୍ୟାଟେରୀ ନିର୍ମିତ ହେବ। ଏହି ପ୍ରକଳ୍ପରେ ମୋଟ୍ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ପାରାଦୀପରେ ଏହି କମ୍ପାନୀ ଇଭି ଯନ୍ତ୍ରାଂଶ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ ଏବଂ ସେଥିରେ ୧୫ ହଜାର କୋଟି ଟଙ୍କା ବ୍ୟୟ କରିବ।
ଅନ୍ୟପଟେ ଆମ ଦେଶରେ ବୈଦ୍ୟୁତିକ ଯାନ ଚାଲିବା ପାଇଁ ଅତ୍ୟାବଶ୍ୟକ ଚାର୍ଜିଂ ଷ୍ଟେସନ୍ ସଂଖ୍ୟା ବହୁତ କମ୍। ବୈଦ୍ୟୁତିକ ଯାନ ପ୍ରତି ସରକାରୀ ପ୍ରୋତ୍ସାହନ ସହିତ ଚାହିଦା ବଢ଼଼ୁଥିଲେ ହେଁ ଏ ପର୍ଯ୍ୟନ୍ତ ଚାହିଦା ଅନୁଯାୟୀ ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ୍ ନିର୍ମାଣ କରାଯାଇପାରିନାହିଁ।
ଆମେରିକାରେ ପ୍ରତି ୧୯ଟି ଗାଡ଼ି ପାଇଁ ଗୋଟିଏ ଚାର୍ଜିଂ ଷ୍ଟେସନ୍ ଥିବା ବେଳେ ଚୀନ୍ ଓ ନେଦରଲ୍ୟାଣ୍ଡରେ ଛଅଟି ଗାଡ଼ି ପିଛା ଗୋଟିଏ ଚାର୍ଜିଂ ଷ୍ଟେସନ୍ ରହିଛି। ଭାରତରେ ଏହି ସଂଖ୍ୟା ୧୩୫। ତେଣୁ ଚାର୍ଜିଂ ଷ୍ଟେସନ୍ ସଂଖ୍ୟା ବୃଦ୍ଧି ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାମାନେ ମିଳିତ ପ୍ରୟାସ କରିବା ଆବଶ୍ୟକ।
ଏବେ ସମଗ୍ର ବିଶ୍ଵରେ ପାରମ୍ପରିକ ଶିଳ୍ପର ଚାହିଦା କମିବା ସହିତ ନୂଆ କ୍ଷେତ୍ରର ଶିଳ୍ପର ଗୁରୁତ୍ୱ ବଢ଼଼ିଛି। ଏଭଳି ଶିଳ୍ପକୁ ଆକର୍ଷିତ କରିବାକୁ ସରକାର ପ୍ରୋତ୍ସାହନ ଦେବା ନିଶ୍ଚୟ ସ୍ୱାଗତଯୋଗ୍ୟ। ତେବେ ଏହାର ବାସ୍ତବାୟନ ଉପରେ ସବୁ କିଛି ନିର୍ଭର କରେ।
Tags: #ElectricVehicle #FutureTransport #CleanEnergy #Odisha #India