ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜ୍ୟର ଆଉ ୫ଟି ଜିଲ୍ଲାରେ ଚାଲିଲା ଲକ୍ଷ୍ମୀ ବସ୍
- ଯାତାୟତ ସୁବିଧା ପାଇବେ ୫ଟି ଜିଲ୍ଲାର ୧,୦୫୭ଟି ଗ୍ରାମ ପଞ୍ଚାୟତର ଲୋକ
- ସ୍ଵୟଂସହାୟକ ଗୋଷ୍ଠୀ ମା’ ମାନଙ୍କୁ ଲକ୍ଷ୍ମୀ ବସ ପରିଚାଳନା ଦାୟିତ୍ଵ
ବାଲେଶ୍ୱର, ନୂଆପଡ଼ା, ବୌଦ୍ଧ, ଗଞ୍ଜାମ ଏବଂ ଜଗତସିଂହପୁର ଜିଲ୍ଲାରେ ଗଡ଼ିଲା ‘ଲକ୍ଷ୍ମୀ’ ଯୋଜନା ବସ। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଲକ୍ଷ୍ମୀ ଯୋଜନା ଯାତାୟତ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଲୋକଙ୍କ ଜୀବନ ଗତିରେ ପ୍ରଗତି ଆଣିବ। ଏହି ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ସାମାଜିକ ଏବଂ ଆର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ। ଯାତାୟତ ପାଇଁ ଆଉ କାହାକୁ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ। ଲକ୍ଷ୍ମୀ ବସ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ସୁବିଧାରେ ପଞ୍ଚାଇବାର ଉତ୍ତମ ମାଧ୍ୟମ ପାଲଟିବ।”
ବାଲେଶ୍ୱର, ନୂଆପଡ଼ା, ବୌଦ୍ଧ, ଗଞ୍ଜାମ ଏବଂ ଜଗତସିଂହପୁର ଜିଲ୍ଲାରେ ‘ଲକ୍ଷ୍ମୀ’ ବସ ଯୋଜନାର ଶୁଭାରମ୍ଭ ହେବା ଦ୍ଵାରା ଏହି ୫ଟି ଜିଲ୍ଲାର ୧,୦୫୭ଟି ଗ୍ରାମ ପଞ୍ଚାୟତକୁ ଚଳାଚଳ କରିବ ୩୦୫ଟି ଲକ୍ଷ୍ମୀ ବସ। ଏହା ଦ୍ଵାରା ୭୩ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ଉପକୃତ ହେବେ।
ମାତ୍ର ୫ ଟଙ୍କାରେ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ଲକ୍ଷ୍ମୀ ବସ। ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ।

ବୁଧବାର ଦିନ ବାଲେଶ୍ୱର ଜିଲ୍ଲାରେ ମୋଟ ୫୯ଟି ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଗ୍ରାମ ପଞ୍ଚାୟତରୁ ବ୍ଲକସ୍ତରକୁ ୪୮ଟି ଅଣ ଏସି ବସ୍ ଚଳାଚଳ କରିବ ଏବଂ ଜିଲ୍ଲାସ୍ତର ପର୍ଯ୍ୟନ୍ତ ୧୧ଟି ଏସି ବସ୍ ଚାଲିବ। ଜିଲ୍ଲାର ମୋଟ ୩୧୫ଟି ଗ୍ରାମ ପଞ୍ଚାୟତର ଲୋକ ଏହି ଯୋଜନାରେ ଉପକୃତ ହେବେ।
ସେହିପରି ନୂଆପଡ଼ା ଜିଲ୍ଲାରେ ମୋଟ ୩୧ଟି ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିରେ ଗ୍ରାମ ପଞ୍ଚାୟତରୁ ବ୍ଲକସ୍ତରକୁ ଯୋଡ଼ିବା ପାଇଁ ୨୬ଟି ଅଣ ଏସି ବସ ରହିଥିବାବେଳେ ଜିଲ୍ଲାକୁ ସଂଯୋଗ କରିବା ପାଇଁ ୫ଟି ଏସି ବସ ରହିଛି। ଏହି ଯୋଜନା ଆରମ୍ଭ ହେବା ଦ୍ଵାରା ଜିଲ୍ଲାର ୬ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ଉପକୃତ ହୋଇପାରିବେ।
ଏହା ସହିତ ବୌଦ୍ଧ ଜିଲ୍ଲାରେ ମଧ୍ୟ ବୁଧବାର ଦିନ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାରେ ୧୨ଟି ବସର ଶୁଭାରମ୍ଭ କରାଯାଇଛି। ଏବେ ବୌଦ୍ଧ ଜିଲ୍ଲାର ୫୫ଟି ଗ୍ରାମ ପଞ୍ଚାୟତ ପରିବହନ ସେବା ଯୋଗାଇବ ଲକ୍ଷ୍ମୀ ବସ। ଗ୍ରାମ ପଞ୍ଚାୟତରୁ ବ୍ଲକ ପାଇଁ ୧୦ଟି ଅଣ ଏସି ବସ୍ ଚଳାଚଳ କରିବ ଏବଂ ଜିଲ୍ଲାକୁ ୨ଟି ଏସି ବସ ଯାତ୍ରୀଙ୍କୁ ସେବା ଯୋଗାଇବ। ଏହା ଦ୍ୱାରା ସିଧାସଳଖ ୪ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ଉପକୃତ ହେବେ।

ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ବୁଧବାରଠାରୁ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲାରେ ୧୫୨ଟି ଲକ୍ଷ୍ମୀ ବସ ଲୋକଙ୍କୁ ପରିବହନ ସୁବିଧା ଯୋଗାଇବ। ଲୋକଙ୍କୁ ବ୍ଲକ ସହ ସଂଯୋଗ କରିବା ପାଇଁ ୧୩୦ଟି ଅଣ ଏସି ବସ୍ ରହିଥିବାବେଳେ ଜିଲ୍ଲା ପାଇଁ ରହିଛି ୨୨ଟି ଏସି ବସ। ଏହି ଯୋଜନା ଆରମ୍ଭ ହେବା ଦ୍ଵାରା ଜିଲ୍ଲାର ମୋଟ ୪୩୩ଟି ଗ୍ରାମ ପଞ୍ଚାୟତର ୩୫ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ଉପକୃତ ହୋଇପାରିବେ।
ବୁଧବାର ଦିନଠାରୁ ଜଗତସିଂହପୁର ଜିଲ୍ଲାରେ ଗଡ଼ିଛି ଲକ୍ଷ୍ମୀ ବସ। ଆଜି ମୋଟ ୫୧ଟି ଲକ୍ଷ୍ମୀ ବସର ଶୁଭାରମ୍ଭ କରାଯାଇଛି। ଗ୍ରାମ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ପରିବହନ ସେବା ଯୋଗାଇବାକୁ ୪୨ଟି ଅଣ ଏସି ବସ ରହିଥିବାବେଳେ ଜିଲ୍ଲାକୁ ସଂଯୋଗ କରିବା ପାଇଁ ରହିଛି ୯ଟି ଏସି ବସ। ଜିଲ୍ଲାର ୧୩୧ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୮ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ଲକ୍ଷ୍ମୀ ବସ ଯୋଗୁଁ ଉପକୃତ ହୋଇପାରିବେ।
ଏହି ଜିଲ୍ଲାଗୁଡ଼ିକରେ ଲକ୍ଷ୍ମୀ ବସର ପରିଚାଳନା ଦାୟିତ୍ଵ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ମା’ମାନଙ୍କୁ ଦିଆଯାଇଛି।
Tags: #LAccMIBusService #PublicTransport #RuralArea #Commerce&TransportDept #Odisha