ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ରାଜ୍ୟର ଅର୍ଥନୈତିକ ପ୍ରଗତିକୁ ଦୀର୍ଘସ୍ଥାୟୀ କରିବା ସହ ଭବିଷ୍ୟତ ଲାଗି ମାନବ ସମ୍ବଳର ବିକାଶ କରିବା ପାଇଁ ଏଠାରେ ବ୍ୟାପକ ମାନସମନ୍ଥନ ହୋଇଛି।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ନେତୃତ୍ୱ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏଠାରେ ୧୬ଟି ବିଶେଷ ଅଧିବେଶନ ଜରିଆରେ ସେମାନେ ଭବିଷ୍ୟତର ଶିଳ୍ପ ପାଇଁ ଓଡ଼ିଶାରେ ରହିଥିବା ସୁଯୋଗ ଓ ସମ୍ଭାବନା ଉପରେ ଆଲୋଚନା କରିଥିଲେ।

ଏହି ଦୁଇଦିନର କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓଡ଼ିଶାର ଅର୍ଥନୈତିକ ବିକାଶ ନେଇ ବିଶେଷ ଆଲୋଚନା କରିଥିଲେ। ଶିଳ୍ପର ବିକାଶ ପାଇଁ ଓଡ଼ିଶାରେ ଥିବା ସୁବିଧା ସୁଯୋଗ ବାବଦରେ ସେ କହିଥିଲେ। ଏହାସହ ରାଜ୍ୟରେ ଦକ୍ଷ ମାନବ ସମ୍ବଳର ବିକାଶ ଉପରେ ସେ ଗୁରୁତ୍ଵାରୋପ କରିଥିଲେ।

“ବୃହତ୍ ଶିଳ୍ପ, ବନ୍ଦର, ପରିବହନ ଆଦି କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ। ଭବିଷ୍ୟତରେ ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁକୂଳ ପରିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। କୁଶଳୀ ଶ୍ରମଶକ୍ତି ତଥା ଉତ୍ପାଦନଶୀଳ ଏବଂ ଶୃଙ୍ଖଳିତ ମାନବ ସମ୍ବଳ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିରେ ବେଶ୍ ସହାୟକ ହେଉଛି। ଏହା ଓଡ଼ିଶାରେ ଅଧିକ ପରିମାଣରେ ପୁଞ୍ଜିନିବେଶକୁ ଆକୃଷ୍ଟ କରୁଛି”, କହିଥିଲେ ହେମନ୍ତ ଶର୍ମା।

ସେ ଆହୁରି ମଧ୍ୟ କହିଥିଲେ, “ଦକ୍ଷ ମାନବ ସମ୍ବଳ ହେଉଛି ରାଜ୍ୟର ବଡ଼ ଶକ୍ତି। ଓଡ଼ିଶା ଏବେ ଏକ କୃଷିଭିତ୍ତିକ ଅର୍ଥବ୍ୟବସ୍ଥାରୁ ଅଧିକ ଉତ୍ପାଦନ ଓ ସେବା ଭିତ୍ତିକ ଅର୍ଥନୀତିକୁ ଦିଗ ପରିବର୍ତ୍ତନ କରୁଛି। ଏହାକୁ ଦୃଷ୍ଟିରେ ରଖି ଆମର ଦକ୍ଷତା ଅନୁଷ୍ଠାନଗୁଡ଼ିକ ଲାଗି ଭବିଷ୍ୟତର କର୍ମଶକ୍ତି ବିକାଶ ପାଇଁ ଏକ ବିରାଟ ସୁଯୋଗ ରହିଛି। ଏହା ଆମ ରାଜ୍ୟର ବିକାଶକୁ ଆହୁରି ଗତି ଦେବ।”

ଏହି ସମ୍ମିଳନୀରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରମୁଖ ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା। ଏହାସହ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଅଂଶୀଦାରମାନେ ବିଶେଷ ଆଲୋଚନା କରିଥିଲେ।

Tags: #NUAOdishaGlobalSummit #GrowthAndEmployment #Odisha  

LEAVE A REPLY

Please enter your comment!
Please enter your name here