ଓଡ଼ିଶାଲାଇଭ୍ ବ୍ୟୁରୋ

• ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ୮ଟି ସ୍ଥାନରେ ପ୍ରତିଯୋଗିତା
• ପ୍ରାରମ୍ଭିକ ପର୍ଯ୍ୟାୟରେ ଭାଗନେଲେ ୭୦୦ରୁ ଅଧିକ ପ୍ରତିଯୋଗୀ
• ୧୪ ତାରିଖରେ ହେବ ଚୂଡ଼ାନ୍ତ ପର୍ଯ୍ୟାୟ

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି। ଏଥିରେ ୬ଟି ପ୍ରମୁଖ କ୍ଷେତ୍ରରେ ମୋଟ ୪୫ଟି ସ୍କିଲକୁ ନେଇ ଚଳିତ ବର୍ଷ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେଉଛି। ମଙ୍ଗଳବାର ଦିନ ହୋଇଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ ଏବଂ ପଲିଟେକନିକ ତଥା ବିଭିନ୍ନ ଦକ୍ଷତା ବିକାଶ ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ପାରଦର୍ଶିତା ଦେଖାଇଥିଲେ।

ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୧୬ଟି ସ୍କିଲକୁ ନେଇ ପ୍ରତିଯୋଗିତା କରାଯାଉଛି। ସେହିପରି ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ୫ଟି, ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ୫ଟି, ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ୨ଟି, ସିଟିଟିସିରେ ୬ଟି ଏବଂ ଏନଆଇଏଫଟିରେ ୨ଟି ବିଷୟରେ ପ୍ରତିଯୋଗିତା କରାଯାଉଛି। କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ୫ଟି ଏବଂ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ୨ଟି ବିଷୟରେ ମଧ୍ୟ ଏହି ପ୍ରତିଯୋଗିତା କରାଯାଉଛି।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଆଜି ଆସିଛି ବ୍ୟାପକ ପରିବର୍ତ୍ତନ। ଆଧୁନିକ ଏବଂ ବ୍ୟବହାରିକ ବିଷୟ ସହ ଅତ୍ୟାଧୁନିକ କମ୍ପ୍ୟୁଟର ଓ ମୋବାଇଲ ଟେକ୍ନୋଲୋଜି ଆଦିର ପ୍ରୟୋଗକୁ ନେଇ ଯୁବପିଢ଼ିଙ୍କ ଲାଗି ରାଜ୍ୟରେ ନୂଆ ଢାଞ୍ଚାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। କନଷ୍ଟ୍ରକ୍ସନ ଆଣ୍ଡ ବିଲ୍ଡିଂ ଟେକ୍ନୋଲୋଜି, କ୍ରିଏଟିଭ୍ ଆର୍ଟ୍ସ ଆଣ୍ଡ ଫ୍ୟାସନ, ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ମାନୁଫାକ୍ଚରିଂ ଆଣ୍ଡ ଇଞ୍ଜିନିୟରିଂ ଟେକ୍ନୋଲୋଜି, ସୋସିଆଲ ଆଣ୍ଡ ପର୍ସନାଲ ସର୍ଭିସେସ୍ ଏବଂ ଟ୍ରାନ୍ସପୋର୍ଟେସନ ଆଣ୍ଡ ଲଜିଷ୍ଟିକ୍ସ ଆଦି ୬ଟି କ୍ଷେତ୍ରରେ ୪୫ଟି ଦକ୍ଷତା ବିକାଶ ବିଷୟକୁ ନେଇ ‘ଓଡ଼ିଶା ସ୍କିଲ୍ସ’ ପରିକଳ୍ପନା କରାଯାଇଛି।

‘ଓଡ଼ିଶା ସ୍କିଲ୍ସ’ରେ ଭାଗ ନେଇଥିବା ଯୁବ ପ୍ରତିଯୋଗୀମାନଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ଯୁବପିଢ଼ି ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

୧୪ ତାରିଖ ଦିନ ଓଡ଼ିଶା ସ୍କିଲ୍ସର ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ହେବାକୁ ଯାଉଛି। ଏହା କଟକ ଓ ଭୁବନେଶ୍ୱରର ସେହି ୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ବିଷୟରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ୧୫ ତାରିଖରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ବିବେଚିତ ପ୍ରାର୍ଥୀମାନେ ପରବର୍ତ୍ତୀ ସମୟରେ ଜାତୀୟ ସ୍ତରରେ ‘ଇଣ୍ଡିଆ ସ୍କିଲ୍ସ’ରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ। ସେହିପରି ଅନ୍ତର୍ଜାତୀୟ ସ୍ତରରେ ‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ଭାଗନେଇ ଓଡ଼ିଶାର ପିଲାମାନେ କିପରି ମେଡାଲ ଜିତିପାରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନ ସ୍ତରରୁ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି।
Tags: #OdishaSkillCompetition #SkillDevelopment #SkilledinOdisha #WorldSkillCenter #OSDA #Odisha

LEAVE A REPLY

Please enter your comment!
Please enter your name here