ଭାସ୍କର ପରିଚ୍ଛା
କାରାଗାରରେ କଏଦୀମାନଙ୍କ ଭିଡ଼ ହ୍ରାସ କରିବା ସହିତ ଏହାର ଅନ୍ତେବାସୀମାନଙ୍କୁ ମାନୁଷିକ ପରିବେଶ ଯୋଗାଇବା କାରା ସଂସ୍କାରର ଏକ ଅଂଶ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ରାଜ୍ୟର ପ୍ରଥମ ସବୁଠୁ ବଡ଼ ତଥା ଆଦର୍ଶ କାରାଗାର ନିର୍ମାଣର ଶୁଭ ଦେଇଛନ୍ତି।
ଏକଦା ମୁକ୍ତାକାଶ କାରାଗାର ଥିବା ଜାମୁଝରୀ ବନ୍ଦୀମାନଙ୍କୁ ସଂସ୍କାରିତ କରିବା କାମରେ ନିୟୋଜିତ ହେଉଥିଲା। ଏବେ ଏହା ରାଜ୍ୟର ସବୁଠୁ ବଡ଼ ଆଦର୍ଶ କାରାଗାରରେ ପରିଣତ ହେବା ସହିତ ରାଜଧାନୀ ଭିତରେ ସଂକୀର୍ଣ୍ଣ ପରିସରରେ ଥିବା ଝାରପଡ଼ା ଜେଲ୍କୁ ସେଠାକୁ ସ୍ଥାନାନ୍ତରିତ କରାଯିବ। କଟକ ସେଣ୍ଟ୍ରାଲ ଜେଲ୍ ଚୌଦ୍ୱାରକୁ ସ୍ଥାନାନ୍ତର ହେବା ପରେ ଝାରପଡ଼ା ହେବ ରାଜ୍ୟର ଦ୍ୱିତୀୟ ଜନାକୀର୍ଣ୍ଣ କାରାଗାର। ଏବେ ଏହା ଏକ ପ୍ରଶସ୍ତ କ୍ଷେତ୍ର ତଥା ନୂଆ ସ୍ଥାନକୁ ଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କାରାଗାରଗୁଡ଼ିକୁ ଗହଳି ମୁକ୍ତ କରି କଏଦୀମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆଦର୍ଶ ଜେଲ୍ ନିର୍ମାଣ ଦ୍ୱାରା କାରାଗାର ପ୍ରଶାସନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏହାଫଳରେ କାରା ସଂସ୍କାର ପାଇଁ ଅଧିକ ଭଲ ମୌଳିକ ସୁବିଧା ସୁଯୋଗ ମିଳିବ। ଅପରାଧ ବିରୋଧରେ ସଂଗ୍ରାମକୁ ସଫଳ ଓ ପ୍ରଭାବଶାଳୀ କରିବାକୁ ହେଲେ କାରାଗାର ସଂସ୍କାର ଓ ବନ୍ଦୀଙ୍କ ଉତ୍ତମ ଥଇଥାନକୁ ଅଗ୍ରାଧିକାର ଦେବାକୁ ପଡ଼ିବ। ଆଦର୍ଶ ଜେଲ୍ କଏଦୀଙ୍କୁ ସଂସ୍କାର ପାଇଁ ଉପଯୁକ୍ତ ସୁଯୋଗ ଓ ସୁବିଧା ଯୋଗାଇବ।
ଦୁଇବର୍ଷ ମଧ୍ୟରେ ଜାମୁଝରୀ ଆଦର୍ଶ କାରାଗାର ନିର୍ମାଣ କାର୍ଯ୍ୟ ଶେଷ ହେବ ଏବଂ ଏଥିରେ ପ୍ରଥମ ପର୍ଯ୍ୟାୟରେ ୨,୫୦୦ ବନ୍ଦୀ ରହିପାରିବେ। ଆବଶ୍ୟକତା ଅନୁସାରେ ଏହାର ସମ୍ପ୍ରସାରଣ ବ୍ୟବସ୍ଥା ମଧ୍ୟ କରାଯିବ। ଚୌଦ୍ୱାର ମଣ୍ଡଳ କାରାଗାର ଏବେ ରାଜ୍ୟର ସବୁଠୁ ବଡ଼ ଜେଲ୍ ଏବଂ ଏଥିରେ ୧,୧୫୬ ବନ୍ଦୀ ରହିବାର ସୁବିଧା ଅଛି। ଦେଶର ବଡ଼ ବଡ଼ ଆଦର୍ଶ କାରାଗାରର ନିର୍ମାଣ ଶୈଳୀ ଓ ବ୍ୟବସ୍ଥା ଅନୁଧ୍ୟାନ କରି ଜାମୁଝରୀ ଆଦର୍ଶ ଜେଲ୍ ନିର୍ମିତ ହେବ। ଏହି ଢାଞ୍ଚାରେ ଅନ୍ୟାନ୍ୟ ବଡ଼ ବଡ଼ ଜେଲ୍ର ସମ୍ପ୍ରସାରଣ ଓ ବିକାଶ କରାଯିବ।
ଓଡ଼ିଶାର କାରାଗାରଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ ଅଧିକ ବନ୍ଦୀ ରହୁଥିବାରୁ ନିକଟରେ ଓଡ଼ିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବାସ୍ତବତା ହେଲା ଅପରାଧ ବଢ଼ିଲେ ଏବଂ ମାମଲାର ବିଚାର ବିଳମ୍ବିତ ହେଲେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢ଼ିବ। ତେଣୁ ସେମାନଙ୍କ ପାଇଁ ଯେତେ ଅଧିକ କାରଗାର ନିର୍ମାଣ କରାଗଲେ ବି ସ୍ଥାନାଭାବ ସମସ୍ୟା ଦୂର ହେବ ନାହିଁ। ତେଣୁ ଅଭିଯୁକ୍ତ ବା ବିଚାରାଧୀନ ବନ୍ଦୀଙ୍କୁ ଜେଲ୍ରେ ଅଧିକ ଦିନ ରଖିଲେ ସମସ୍ୟା ବଢ଼ିବା ସ୍ୱାଭାବିକ।
ବର୍ତ୍ତମାନ ରାଜ୍ୟର ସବୁ ଜେଲ୍ରେ ଧାର୍ଯ୍ୟ କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି। ଗୋଟିଏ ଜେଲ୍ରେ ତାହାର ଧାର୍ଯ୍ୟ କ୍ଷମତାଠାରୁ ଆଉ ୨୦ ପ୍ରତିଶତ ଅଧିକ କଏଦୀଙ୍କୁ କିଛି କାଳ ରଖିହେବ। ତେବେ ଏହା ଯେତେବେଳେ ୫୦ ପ୍ରତିଶତରେ ପହଞ୍ଚିବ, ସେତେବେଳେ ପରିସ୍ଥିତି ଅସମ୍ଭାଳ ହେବା ନିଶ୍ଚିତ।
୨୦୨୦-୨୧ ଓ ୨୦୨୧-୨୨ କ୍ରିୟାନୁଷ୍ଠାନ ଯୋଜନା ଅନୁସାରେ ରାଜ୍ୟର ବିଭିନ୍ନ ଜେଲ୍ରେ ଅତିରିକ୍ତ ୱାର୍ଡ ନିର୍ମାଣ କରାଯାଇ ୨,୯୯୪ କଏଦୀଙ୍କ ପାଇଁ ବ୍ୟବସ୍ଥା କରାଯିବ ଏବଂ ସେ କାମ ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, ଏହାସହିତ ଜେଲ୍ଗୁଡ଼ିକୁ ଆଦର୍ଶ କାରାଗାରରେ ପରିଣତ କରିବାକୁ ମଧ୍ୟ କାରା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।
କାରାଗାର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା କେବଳ ଅପରାଧୀଙ୍କ ଦଣ୍ଡଭୋଗ ସ୍ଥଳ ନୁହେଁ, ସେମାନଙ୍କ ଚରିତ୍ରକୁ ବଦଳାଇ ସଂସ୍କାରିତ କରିବାର ଏକ ପ୍ରକୃଷ୍ଟ ସ୍ଥାନ। ଜଣେ ଅପରାଧୀ କାରାଗାରରେ ରହି ଶିଖିବା, ଅନୁତାପ କରିବା, ନିଜକୁ ବଦଳାଇ ମୁଖ୍ୟସ୍ରୋତକୁ ପୁନର୍ବାର ଫେରି ସ୍ୱାଭାବିକ ଜୀବନଯାପନ କରିବା ସଂସ୍କାରର ସବୁଠୁ ବଡ଼ ଲକ୍ଷ୍ୟ। କାରାଗାରରେ ସ୍ଥାନାଭାବ ଓ ଗହଳି ଯୋଗୁଁ ଏହି କାମଟି ଠିକ୍ ଭାବେ ହୋଇପାରୁ ନଥିଲା। ଏବେ ନୂଆ ପ୍ରୟାସ ଦ୍ଵାରା କାରା ସଂସ୍କାର ପ୍ରକ୍ରିୟା ତ୍ୱରାନ୍ୱିତ ହେବ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ପରାମର୍ଶଦାତା ସମ୍ପାଦକ)
Tags: #JamujhariOpenAirJail #Odisha #PrisonReforms