ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ):  ନିଷ୍ଠା, ଭକ୍ତି ଓ ବିଶ୍ୱାସର ସହିତ ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରେ ପାଳିତ ହୋଇଯାଇଛି ପବିତ୍ର ଦଣ୍ଡ ଯାତ୍ରା। ହଜାର ହଜାର ସଂଖ୍ୟାରେ ଦଣ୍ଡ ଉପାସକ ଏହି ପବିତ୍ର ବ୍ରତ ପାଳନ କରିଛନ୍ତି। ବ୍ରତଧାରୀମାନେ ନିଜର ମାନସିକ କାମନା ପୂରଣ ଲାଗି ଦୀର୍ଘ ୧୫ ଦିନ ଧରି ଅନ୍ନ ଓ ବ୍ୟଞ୍ଜନ ପରିତ୍ୟାଗ କରି ଶ୍ରୀ ଶଙ୍କରଗୌରୀଙ୍କ ଉପାସନା କରିଛନ୍ତି।

ଉତ୍କଳୀୟ ପୂଜା ବ୍ରତ ପରମ୍ପରା ମଧ୍ୟରେ ବାରମାସରେ ତେରପର୍ବ ଓ ଉତ୍ସବର ବ୍ୟବସ୍ଥା ବେଶ୍ ସ୍ୱତନ୍ତ୍ର। ସେଥିମଧ୍ୟରେ ଦଣ୍ଡ ପର୍ବ ଅନ୍ୟତମ। ଅନନ୍ୟ ଦଣ୍ଡ ବ୍ରତ ପାଳନର ପରମ୍ପରା ନୟାଗଡ଼ ଜିଲ୍ଲାର ବହୁ ପୁରାତନ କାଳରୁ ପ୍ରଚଳିତ ହୋଇଆସୁଛି।

ଚଳିତବର୍ଷ ମଧ୍ୟ ଚୈତ୍ର ମାସ କୃଷ୍ଣ ପକ୍ଷ ଆରମ୍ଭରୁ ନୟାଗଡ଼ର ଗାଁ ଗାଁରେ ଶ୍ରଦ୍ଧାଳୁମାନେ ଶୈବପୀଠ ଓ ଦେବୀ କାମନା ଦଣ୍ଡ କୋଠିରେ ଶ୍ରଦ୍ଧା ଓ ବିଶ୍ୱାସର ଦଣ୍ଡ ପର୍ବ ପାଳନ କରିଛନ୍ତି। ବ୍ରତପାଳନ ପରେ ଉପାସକମାନେ ପବିତ୍ର ମହାବିଷୁବ ସଂକ୍ରାନ୍ତିର ଦିନକ ପୂର୍ବରୁ ‘ମେରୁ’ ତିଥିରେ ଶ୍ରୀଶଙ୍କରଗୌରୀଙ୍କ ସହ ଶୋଭାଯାତ୍ରାରେ ନଗର ପରିକ୍ରମା କରିଛନ୍ତି।

ପଣା ସଂକ୍ରାନ୍ତିରେ ବ୍ରତଧାରୀମାନେ ଶିବପାର୍ବତୀଙ୍କ ପୂଜା ଆରାଧନା କରି ବ୍ରତ ସମାପନ କରିବା ବିଧି ରହିଛି। କଠୋର ଦଣ୍ଡ ଉପାସନାର ନୀତି ଓ ନିୟମ ଅନୁଯାୟୀ ବ୍ରତଧାରୀମାନେ ଦିନତମାମ ଅନ୍ନ କିମ୍ବା ଜଳ ଗ୍ରହଣ କରିନଥାନ୍ତି। ସନ୍ଧ୍ୟାରେ ସ୍ନାନ କରି ଦେବ ଦର୍ଶନ ପରେ ଗୋଟିଏ ଥର ଜଳ କିମ୍ବା ପଣା ପିଇଥାନ୍ତି। ସେହିପରି ଏହି ସମୟରେ ବ୍ରତଧାରୀମାନଙ୍କ ଦ୍ଵାରା ଗାଁ ଗାଁରେ ଲୋକଙ୍କ ଗହଣରେ ଶିବପାର୍ବତୀଙ୍କ ଚରିତ ନାଟ୍ୟ ପ୍ରଦର୍ଶନ ବେଶ୍ ମନୋହର ହୋଇଥାଏ।

ରାଜ୍ୟର ଅନ୍ୟ ସ୍ଥାନମାନଙ୍କ ପରି ନୟାଗଡ଼ ଜିଲ୍ଲାରେ ପବିତ୍ର ଦଣ୍ଡବ୍ରତ ପାଳନର ପ୍ରାଚୀନ ପରମ୍ପରା ଲୋକ ସଂସ୍କୃତିକୁ ବଳିଷ୍ଠ କରିଛି। ଲୋକଙ୍କ ମଧ୍ୟରେ ଭଗବାନଙ୍କ ମହିମା ପ୍ରଚାର ଓ ପ୍ରସାର କରିବା ପାଇଁ ବ୍ରତଧାରୀମାନେ କଠୋର ତପ କରିବା ସହ ନିଆଁ ଗାଡ଼ରେ ଚଲିବା, କଣ୍ଟାରେ ଗଡ଼ିବା, ଶରୀର ବିଭିନ୍ନ ସ୍ଥାନରେ ଲୁହା ଅଙ୍କୁଶ ବିଦ୍ଧ କରି ଅରଟିରେ ଘୁରିବା ଭଳି ଅସାଧରଣ କ୍ରିୟା ପ୍ରଦର୍ଶନ କରିଛନ୍ତି।

Tags: #DandaJatra #PanaSankranti #Culture #Nayagarh #Odisha

Comment