ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଭିମାନ ଏବଂ ଓଡିଶା ଷ୍ଟେଟ ଡିସାବିଲିଟି ନେଟୱାର୍କର ମିଳିତ ପ୍ରୟାସରେ ଭୁବନେଶ୍ୱରରେ ଏକାଧିକ ଛୋଟ ବଡ଼ ସଚେତନମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିନ୍ନକ୍ଷମ ଭୋଟରମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇ ଭୋଟ୍ ଦେବା ପାଇଁ ଉତ୍ସାହିତ କରାଯାଇଛି। ଭିନ୍ନକ୍ଷମମାନଙ୍କୁ ଆଗାମୀ ନିର୍ବାଚନ ସହ ଜଡିତ ସୁଗମ୍ୟତା ବ୍ୟବସ୍ଥାଗୁଡ଼ିକ ବିଷୟରେ ଅବଗତ କରିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ରହିଥିଲା।

ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭୋଟ୍ ଦେବାର ମହତ୍ତ୍ୱ ବିଷୟରେ ଦର୍ଶାଯାଇଥିଲା। ଏଥିରେ ଓଡ଼ିଶାରେ ଭିନ୍ନକ୍ଷମ ଭୋଟରମାନଙ୍କ ଭୋଟ୍ ଦେବା ପାଇଁ ଉପଲବ୍ଧ ସୁଗମ୍ୟ ବ୍ୟବସ୍ଥା, ଯେପରି ବାହନ ସେବା, ସ୍ଵେଚ୍ଛସେବୀଙ୍କ ଦ୍ଵାରା ସହଯୋଗ, ସୁଗମ୍ୟ ବୁଥ୍ ଓ ନିଜ ଘରେ ରହି ଭୋଟ୍ ଦେଇପାରିବା ଭଳି ସୁବିଧା ବିଷୟରେ କୁହାଯାଇଥିଲା।

ସେହିପରି ଉପରୋକ୍ତ ସୁବିଧା ପାଇଁ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ସକ୍ଷମ ଆପର ବ୍ୟବହାର ଓ ଏଥିରେ ପଞ୍ଜିକରଣ କରିବାର ଉପାୟ ବିଷୟରେ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା। ଏହାସହ ଅନଲାଇନ ପଞ୍ଜିକରଣ ବ୍ୟତୀତ ବିଏଲଓଙ୍କ ମାଧ୍ୟମରେ କିପରି ନିଜକୁ ପଞ୍ଜୀକୃତ କରାଇ ହେବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା।

ଏହିସବୁ ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ଵର ସ୍ଥିତ ରାମକୃଷ୍ଣ କୁଷ୍ଠ କଲୋନୀ, ଗୋଖିବାବା କୁଷ୍ଠ କଲୋନୀ, ସତ୍ୟଭାମା ଦେବୀ ଶ୍ରବଣ ହିନ ମହାବିଦ୍ୟାଳୟ, ଜଟଣୀରେ ଭିନ୍ନକ୍ଷମଙ୍କ ପାଇଁ ଥିବା ସ୍ଵତନ୍ତ୍ର ଆଇଟିଆଇ, ଓଡ଼ିଶା ଦୃଷ୍ଟିହୀନ ସଙ୍ଘ ଏବଂ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନରୁ ପ୍ରାୟ ୨୫୦ରୁ ଅଧିକ ଭିନ୍ନକ୍ଷମ ଭୋଟର ଏବଂ ସେମାନଙ୍କର ଅଭିଭାବକ ଅଂଶଗ୍ରହଣ କରିଥିଲେ।

Tags: #Elections #PersonswithDisabilities #Voting #Bhubaneswar

LEAVE A REPLY

Please enter your comment!
Please enter your name here