ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ମେ’ ମାସ ୨୮ ତାରିଖରେ ପିରିୟଡସ୍ ବା ତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ପିରିୟଡସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପିରିୟଡସ୍ ଦିବସର ଥିମ ରହିଛି ‘ଟୁଗେଦର ଫର ଏ ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’।

“ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ଏବେ ବି ପିରିୟଡସକୁ ନେଇ ଅନେକ ଅନ୍ଧବିଶ୍ଵାସ ରହିଛି। ଅନେକ ଲୋକ ଏହାକୁ ଅପବିତ୍ର ବୋଲି ମଧ୍ୟ ଭାବନ୍ତି। ପିରିୟଡସ୍ ଗୋଟିଏ ସମସ୍ୟା ନୁହେଁ, ଏହା ହେଉଛି ନାରୀ ଜୀବନର ଏକ ପରିଚୟ। ‘ପିରିୟଡସ୍’ ନାରୀ ଜୀବନରେ ପୂର୍ଣ୍ଣତା ଆଣିଦିଏ”, କୁହନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।

ବର୍ତ୍ତମାନ ପିରିୟଡସକୁ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ। ପିରିୟଡସ୍ ବା ଋତୁସ୍ରାବ ସମୟରେ ସ୍ଵଚ୍ଛତା ରକ୍ଷା କରିବା ଜାରୁରୀ। କାରଣ ଏହି ସମୟରେ ଇନଫେକ୍ସନ ହେବାର ଅଧିକ ସମ୍ଭାବନା ରହିଥାଏ। ଏହି ଇନଫେକ୍ସନ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟାର କାରଣ ମଧ୍ୟ ପାଲଟେ। ପିରିୟଡସକୁ ନେଇ କୌଣସି ସମସ୍ୟା ଦେଖାଦେଲେ ଚୁପ୍ ନରହି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କହିଛନ୍ତି ସୁଲୋଚନା ଦାସ।

“ଏବେ କିଶୋରୀମାନେ ଧୀରେ ଧୀରେ ପିରିୟଡସକୁ ନେଇ ଲାଜ ଛାଡ଼ିବା ସହ ପରିବାର, ସାଙ୍ଗସାଥୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ଆରମ୍ଭ କଲେଣି। ଆଗରୁ ଯେଉଁମାନେ ପ୍ୟାଡ କିଣିବାକୁ କୁଣ୍ଠାବୋଧ କରୁଥିଲେ, ଏବେ ମୁହଁଖୋଲି ପ୍ୟାଡ ମାଗିପାରୁଛନ୍ତି। ପିରିୟଡସକୁ ନେଇ ଆହୁରି ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି” କୁହନ୍ତି ଭୁବନେଶ୍ଵର ମେୟର।

ସ୍କୁଲଗୁଡ଼ିକରେ ’ଖୁସି’ ଯୋଜନା ଅନ୍ତର୍ଗତ ସାନିଟାରି ନ୍ୟାପକିନ ଯୋଗାଇ ଦିଆଯାଉଛି। ବିଭିନ୍ନ ସ୍ଥାନରେ ସାନିଟାରି ନ୍ୟାପକିନ ଏଟିଏମ କରିବା ପାଇଁ ସରକାରଙ୍କ ଯୋଜନା ରହିଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ସାନିଟାରି ନ୍ୟାପକିନକୁ ବ୍ୟବହାର ପରେ କିଭଳି ଡିସପୋଜ କରାଯିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି। ଏହାକୁ ନେଇ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସୁଲୋଚନା ଦାସ କହିଛନ୍ତି।

Tags: #MHDay2024 #MenstrualHygiene #PeriodFriendlyWorld #EndPeriodStigma #HealthCare #WHO #India

Comment