ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

“ଆସନ୍ତା ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପଦାର୍ପଣ କରିବେ। ୨୦୧୪ ମସିହାରେ ମୋଦୀ ନିଜେ ନିୟମ ଆଣିଥିଲେ ବିଜେପିରେ ଯାହାଙ୍କର ବୟସ ୭୫ ବର୍ଷ ହେବ, ତାଙ୍କୁ ଦଳରୁ ରିଟାୟର କରାଯିବ। ଆସନ୍ତା ବର୍ଷ ସେପ୍ଟେମ୍ବର ୧୭ ତାରିଖ ନରେନ୍ଦ୍ର ମୋଦୀ ରିଟାୟର ହେବେ। ତାଙ୍କ ସ୍ଥାନରେ କିଏ ପ୍ରଧାନମନ୍ତ୍ରୀ ହେବେ?”, ବିଜେପିକୁ ଏଭଳି କିଛି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ସେ କହିଛନ୍ତି ମୋଦୀଙ୍କ ରୁଲ ଅନୁସାରେ ସର୍ବ ପ୍ରଥମେ ଲାଲକୃଷ୍ଣ ଆଡଭାନୀଙ୍କୁ ଅବସର ଦିଆଗଲା। ଏହା ପରେ ମୁରଲୀ ମନୋହର ଜୋଶୀ, ସୁମିତ୍ରା ମହାଜନ ଏବଂ ୟଶବନ୍ତ ସିହ୍ନା ରିଟାୟର ହେଲେ। ଏବେ ପାଳି ନରେନ୍ଦ୍ର ମୋଦୀଙ୍କର।

ସେ ଆହୁରି କହିଛନ୍ତି ଯେ, “ଯଦି ବିଜେପି ସରକାର ଗଢ଼େ ତେବେ ଦୁଇମାସ ମଧ୍ୟରେ ଯୋଗୀଙ୍କ କଥା ବୁଝିବେ। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବ। ଏହା ପରେ ମୋଦୀଜୀ ତାଙ୍କର ସବୁଠାରୁ ଖାସ୍ ଅମିତ ଶାହଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବେ। ମୋଦୀଜୀ ନିଜ ପାଇଁ ନୁହେଁ, ବରଂ ଅମିତ ଶାହଙ୍କ ପାଇଁ ଭୋଟ ମାଗୁଛନ୍ତି।”

ଅରବିନ୍ଦ କେଜ୍ରିଓ୍ଵାଲଙ୍କର ଏହି ବୟାନକୁ ନେଇ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଏହି କଟାକ୍ଷର କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଶାହ କହିଛନ୍ତି, “ଦେଖନ୍ତୁ, ମୁଁ ଅରବିନ୍ଦ କେଜ୍ରିୱାଲ ଆଣ୍ଡ କମ୍ପାନି ଏବଂ ପୂରା ଇଣ୍ଡି ମେଣ୍ଟକୁ କହିବାକୁ ଚାହୁଁଛି ଯେ, ମୋଦୀଜୀ ୭୫ ବର୍ଷର ହେଲେ, ଆପଣଙ୍କୁ ଏତେ ଖୁସି ହେବାର ଆବଶ୍ୟକତା ନାହିଁ। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ହିଁ ଦେଶର ନେତୃତ୍ୱ ନେବେ। ଏହାକୁ ନେଇ ବିଜେପରେ କୌଣସି ଦ୍ଵନ୍ଦ୍ଵ ନାହିଁ।”

କେବଳ ଅମିତ ଶାହ ନୁହନ୍ତି, “ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କେଜ୍ରିଓ୍ଵାଲଙ୍କ କଟାକ୍ଷର ଜବାବ ରଖିଛନ୍ତି। ସେ କହିଛନ୍ତି, କେଜ୍ରିଓ୍ଵାଲ ଏବଂ ପୂରା ଇଣ୍ଡି ମେଣ୍ଟ ନିର୍ବାଚନରେ ହାରିବେ ବୋଲି ଅନୁଭବ କରିସାରିଲେଣି, ସେଥିପାଇଁ ବାଉଳି ହେଉଛନ୍ତି। ଦେଶବାସୀଙ୍କୁ ଭ୍ରମିତ କରିବା ଏମାନଙ୍କର ଉଦ୍ଦେଶ୍ୟ। ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ, ସବୁଠାରେ ମୋଦୀଜୀଙ୍କୁ ଜନତାଙ୍କର ଭରପୂର ଆଶୀର୍ବାଦ ରହିଛି। ପ୍ରଧାନମନ୍ତ୍ରୀଙ୍କ ଆଗରେ ଏମାନଙ୍କର ନା କୌଣସି ନୀତି ଅଛି ନା କାର୍ଯ୍ୟକ୍ରମ। ଏମାନେ ଏବେ ମୋଦୀଜୀଙ୍କ ବୟସ ବାହାନାରେ ନିଜର ଅସ୍ତିତ୍ଵ ଖୋଜୁଛନ୍ତି।”

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେଆର କରି ନଡ୍ଡା ଆହୁରି କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ସମ୍ବିଧାନରେ କୋଉଠି ବି ବୟସକୁ ନେଇ ଏଭଳି କୌଣସି ବ୍ୟବସ୍ଥା ନାହିଁ। ମୋଦୀଜୀଙ୍କ ନେତୃତ୍ଵରେ ‘ବିକଶିତ ଭାରତ’ ପରିକଳ୍ପନା ସାକାର ହୋଇଛି। ଆସନ୍ତା ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ମୋଦୀଜୀ ଦେଶକୁ ନୂତନ ଶୀର୍ଷରେ ପହଞ୍ଚାଇବେ। ବିରୋଧୀ ଦ୍ଵନ୍ଦ୍ଵରେ ରୁହନ୍ତୁ ନାହିଁ। ମୋଦୀଜୀ ଆମ ନେତା ଥିଲେ ଏବଂ ଆଗକୁ ମଧ୍ୟ ଆମର ନେତୃତ୍ଵ କରିବେ ବୋଲି ଜେପି ନଡ୍ଡା କହିଛନ୍ତି।

ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି। ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଜାମିନ ଦେବା ଲାଗି ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ତେବେ ଜାମିନ ଅବଧି ସରିବା ପରେ ଜୁନ ୨ ତାରିଖରେ ସେ ଆତ୍ମସମର୍ପଣ କରି ଜେଲ ଯିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଅବଧି ମଧ୍ୟରେ କେଜ୍ରିୱାଲଙ୍କୁ ଦିଲ୍ଲୀ ବିଧାନସଭା ଓ ସଚିବାଳୟ ଯିବାକୁ ବାରଣ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟସକୁ ନେଇ ଅରବନ୍ଦ କେଜ୍ରିଓ୍ଵାଲଙ୍କର ଏହି ବିବାଦୀୟ ମନ୍ତବ୍ୟ ଆଗାମୀ ଦିନରେ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #IndiaPolitics #BJP #ArvindKejriwal #PMNarendraModi #AmitShah

LEAVE A REPLY

Please enter your comment!
Please enter your name here