ଓଡ଼ିଶାଲାଇଭ୍ ବ୍ୟୁରୋ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମେ’ ୧୩ ତାରିଖରେ ଓଡ଼ିଶାର ୪ଟି ଲୋକସଭା ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏଥିରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ସାମିଲ ଅଛି। ଏହି ପର୍ଯ୍ୟାରେ ଓଡ଼ିଶାର ମୋଟ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏନେଇ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ୭,୩୦୩ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୭୪୮ଟି ସହରାଞ୍ଚଳରେ ଓ ୬,୫୫୫ଟି ଗ୍ରାମାଞ୍ଚଳରେ ରହିଛି। ସେହିପରି ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୫୩ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସେହିପରି କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୨୧୪ ଜଣ ପୁରୁଷ ଏବଂ ୨୯ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ନବରଙ୍ଗପୁର ଲୋକସଭା ଆସନରୁ ୪ ଜଣ ପ୍ରାର୍ଥୀ ରହିଥିବାବେଳେ କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ସେହିପରି ଝରିଗାଁ, ନବରଙ୍ଗପୁର ଓ ଡାବୁଗାଁ ବିଧାନସଭା ଆସନ ପାଇଁ ସର୍ବନିମ୍ନ ୩ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ ୧୭ ଜଣ ପ୍ରାର୍ଥୀ ରହିଛନ୍ତି।

ଅନ୍ୟପଟେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ମୋଟ ମତଦାତାଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ୫୨୭ ଜଣ ପୁରୁଷ, ୩୧ ଲକ୍ଷ ୮୯ ହଜାର ୬୦ ଜଣ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି ।

ସେହିପରି ମୋଟ ମତଦାତାଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସର ୧ ଲକ୍ଷ ୭୫ ହଜାର ୧୩୪ ଜଣ ଭୋଟର ରହିଛନ୍ତି। ସେମାନେ ପ୍ରଥମ ଥର ପାଇଁ ଭୋଟ ଦେବେ। ଏହାସହ ୩୯,୯୯୫ ଜଣ ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧,୨୯୪ ଜଣ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର ରହିଛନ୍ତି।

ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪ ଲକ୍ଷ ୮୦ ହଜାର ୯୨୨ ଜଣ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭ ଲକ୍ଷ ୭୮୦ ଜଣ ଭୋଟର ରହିଛନ୍ତି। ବିଧାନସଭା କ୍ଷେତ୍ର ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧ ଲକ୍ଷ ୭୩ ହଜାର ୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨ ଲକ୍ଷ ୬୧ ହଜାର ୭୦୮ ଜଣ ମତଦାତା ରହିଛନ୍ତି।

Tags: #IndianGeneralElections2024 #Voting #Voter #Odisha #ECI #India

LEAVE A REPLY

Please enter your comment!
Please enter your name here