ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ତେବେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
କୋରାପୁଟରେ ସର୍ବାଧିକ ୧୩.୧୪ ପ୍ରତିଶତ ମତଦାନ ହୋଇଥିବାବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧ ପ୍ରତିଶତ ଭୋଟଗ୍ରହଣ ହୋଇଛି। ସେହିପରି ଗଜପତିରେ ୧୦.୨୦ ପ୍ରତିଶତ, କଳାହାଣ୍ଡିରେ ୯.୦୬ ପ୍ରତିଶତ, ମାଲକାନିଗିରିରେ ୯.୧୫ ପ୍ରତିଶତ, ନବରଙ୍ଗପୁରରେ ୮.୮୭ ପ୍ରତିଶତ, ନୂଆପଡ଼ାରେ ୯.୯୮ ପ୍ରତିଶତ ଏବଂ ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଛି।
ତେବେ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ମତଦାନର ହାର ଆହୁରି ବଢ଼ିବାର ସମ୍ଭାବନା ରହିଛି। ଚଳିତ ବର୍ଷ ନିର୍ବାଚନରେ ଲୋକେ ଅଧିକ ସଂଖ୍ୟାରେ ଭୋଟ୍ ଦେବେ ବୋଲି ନିର୍ବାଚନ କମିଶନ ଆଶାବ୍ୟକ୍ତ କରିଛନ୍ତି।
ସେହିପରି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସମୟରେ ମାଲକାନଗିରି, ନୂଆପଡ଼ା, କୋରାପୁଟ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ବୁଥରେ ଇଭିମରେ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ ମତଦାନ ବିଳମ୍ବ ହୋଇଥିଲା। ତେବେ ଏହିସବୁ ଇଭିମଗୁଡ଼ିକୁ ଶୀଘ୍ର ବଦଳାଇ ମତଦାନ ଆରମ୍ଭ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ଅନ୍ୟପଟେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରିବାପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାସହ ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟାରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି।
Tags: #OdishaAssemblyElections2024 #Voting #Voters #Odisha #ECI #India


















