ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ। ବାଜିରେ ଲାଗିଛି ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ। ସୋମବାର ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବାବେଳେ ରାଜ୍ୟର ବହୁ ହେଭିୱେଟ୍ ନେତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ଭୋଟ ଦେଇଛନ୍ତି। ସେ ରାୟଗଡ଼ା ସହରସ୍ଥିତ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥରେ ନିଜ ପରିବାର ସହ ମତଦାନ କରିଛନ୍ତି।

ସେହିପରି କଳାହାଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମାଳବିକା କେଶରୀ ଦେଓ ଭୋଟ୍ ଦେଇଛନ୍ତି। ସୋମବାର ସକାଳେ ସେ ଭବାନୀପାଟଣା ସହର ଇରିଗେସନ କଲୋନୀର ବୁଥରେ ଭୋଟ୍ ଦେଇଥିଲେ। ସେହିପରି ନବରଙ୍ଗପୁରରେ ବିଜେପି ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝି ମଧ୍ୟ ଭୋଟ ଦେଇଛନ୍ତି।

ଅନ୍ୟପଟେ ପରଳାଖେମୁଣ୍ଡିରେ ଭୋଟ ଦେଇଛନ୍ତି କଂଗ୍ରେସ ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ। ସେ ନିଜ ପତ୍ନୀ ରାଣୀ ପଟ୍ଟନାୟକ ଓ ପୁଅ ବୋହୁଙ୍କ ସହ ଯାଇ ପରଳାଖେମୁଣ୍ଡିର ଯାଜପୁର ଗ୍ରାମରେ ହୋଇଥିବା ବୁଥରେ ମତଦାନ କରିଛନ୍ତି।

ରାୟଗଡ଼ା ଜିଲ୍ଲାରେ ବିଷମକଟକ ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା ମଧ୍ୟ ଭୋଟ ଦେଇଛନ୍ତି। ସେ ବିଷମକଟକର ଝିଜିଡି ପଞ୍ଚାୟତ ନିର୍ଗୁଣ୍ଡି ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

Tags: #OdishaAssemblyElections2024 #Voting #Voters #Odisha #ECI #India

Comment