ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଗୁରୁବାର ସକାଳେ ସେ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍ ସୋ’ କରିଛନ୍ତି। ଏଥିରେ ନଡ୍ଡାଙ୍କ ସହିତ ଭୁବନେଶ୍ଵରରୁ ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଭୁବନେଶ୍ଵର ଏକାମ୍ର ଆସନରୁ ବିଧାୟକ ପ୍ରାର୍ଥୀ ବାବୁ ସିଂହ ସାମିଲ ହୋଇଥିଲେ।

ଗୁରୁବାର ସକାଳ ୧୦ ବେଳେ ଭୁବନେଶ୍ଵର ଏକାମ୍ର ଅଞ୍ଚଳରେ ଜେ ପି ନଡ୍ଡାଙ୍କ ରୋଡ୍ ସୋ’ ଆରମ୍ଭ ହୋଇଥିଲା। ଏଥିରେ ସେ ମାଉସୀ ମା’ ମନ୍ଦିରଠାରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଏହାକୁ ନେଇ ଦଳୀୟ ନେତା, କର୍ମୀ ଏବଂ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏହି ବିଶାଳ ରୋଡ ସୋ’ ଦେଖିବା ଲାଗି ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଲୋକ ଏକାଠି ହୋଇଥିଲେ।

“ଓଡ଼ିଶାବାସୀ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ଦେବେ। ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଶାସନ ସୀମା ପାର କରିଛି।  ବିଜେଡି ହାତରୁ କ୍ଷମତା ଯିବାର ସମୟ ଆସିଗଲାଣି। ରାଜ୍ୟରେ ବିଜେପି ସରକାର ହେବାର କିଛି ଦିନ ମଧ୍ୟରେ ଆମେ ସେ ସବୁର ହିସାବ ନେବୁ”, କହିଛନ୍ତି ଜେ ପି ନଡ୍ଡା।

ଜେ ପି ନଡ୍ଡା ରୋଡ୍ ସୋ’ ପରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ତେବେ ଏହି ରୋଡ୍ ସୋ’ ପାଇଁ ବ୍ୟପାକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅନେକ ପୋଲିସ କର୍ମୀ ମୁତୟନ ହୋଇଥିଲେ।

ଜେ ପି ନଡ୍ଡା ବୁଧବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ମହିଳା କର୍ମକର୍ତ୍ତାଙ୍କ ସହ ବୈଠକ କରିଥିଲେ। ଏଠାରେ ବିଜେପିର ସୁଭଦ୍ରା ଯୋଜନା ସମ୍ପର୍କରେ ନଡ୍ଡା ଆଲୋଚନା କରିଥିଲେ।

Tags: #JPNadda #BJP #RoadShow #ElectionCampaign #Politics #Bhubaneswar #Odisha

LEAVE A REPLY

Please enter your comment!
Please enter your name here