ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଥିବା ଆସାମର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ହେମନ୍ତ ବିଶ୍ଵଶର୍ମା ଜୋରଦାର ପ୍ରଚାର କରିଛନ୍ତି। ଶୁକ୍ରବାର ସେ ଗଞ୍ଜାମର କବିସୂର୍ଯ୍ୟନଗରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଠାରେ ସେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ଏକାଧିକ ପ୍ରସଙ୍ଗ ଉପରେ ବିଜେଡିକୁ ପ୍ରଶ୍ନ କରିଥିଲେ।
“ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯୋଗୁଁ ସାରା ଦୁନିଆ ଚାଲିଛି। ହେଲେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ରାଜ୍ୟର ବିଜେଡି ସରକାର ସମ୍ଭାଳି ପାରିଲେ ନାହିଁ। ବିଜେଡି ଏ ବିଷୟରେ ଜାଣି ମଧ୍ୟ ଚୁପ ରହିଛି। ଏଥିପାଇଁ କମିସନ ବସିଲା ହେଲେ କମିସନର ରିପୋର୍ଟ ସାର୍ବଜନୀନ ହେଲାନି। ଏଠାକାର ସରକାର ଓଡ଼ିଶାବାସୀଙ୍କ ବିଶ୍ଵାସର ସହିତ ଖେଳୁଛନ୍ତି। ବିଜେପି ସରକାର ଆସିଲେ ଆମେ ଚାବି ଖୋଜି ବାହାର କରିବୁ”, କହିଛନ୍ତି ହେମନ୍ତ ବିଶ୍ଵଶର୍ମା।
ଏହି ସମାବେଶରେ ହେମନ୍ତ ବିଶ୍ଵଶର୍ମା ବିଭିନ୍ନ ପ୍ରସଙ୍ଗରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ଏହାସହ ରାଜ୍ୟରେ ବିଜେପି ସରକାର ଆସିଲେ ଧାନ କ୍ଵିଣ୍ଟାଲ ପ୍ରତି ୩,୧୦୦ ଟଙ୍କାରେ କିଣାଯିବା ସହ ଚାଷୀଙ୍କ ସମସ୍ୟା ଦୂର ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଆସ୍କା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶନୀ, କବିସୂର୍ଯ୍ୟନଗରରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସମାବେଶରେ ଅନେକ ବିଜେପି କର୍ମୀ ଓ ସମର୍ଥକଙ୍କ ସମାଗମ ହୋଇଥିଲା।
ଶୁକ୍ରବାର କବିସୂର୍ଯ୍ୟନଗରରେ କାର୍ଯ୍ୟକ୍ରମ ସାରି ହେମନ୍ତ ବିଶ୍ଵଶର୍ମା କଣ୍ଟାବାଞ୍ଜି ଓ ଲୋଇସିଂହାରେ ଦଳୀୟ ସମାବେଶରେ ଯୋଗଦେଇଛନ୍ତି।
Tags: #OdishaAssemblyElections2024 #HimantaBiswaSarma #ElectionCampaign #BJP #Ganjam #Balangir #Odisha