ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ସଇଁତଳା ଥାନା ତେଣ୍ଡିପାଲି ଗାଁରେ ଗୁରୁବାର ରାତିରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସହଯୋଗୀଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ଦୁଇ ଜଣଙ୍କୁ ମାଡ଼ ମାରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।
ତେବେ ଏହି ଆକ୍ରମଣରେ ଦୁର୍ବୃତ୍ତମାନେ ନବୀନ ଜୈନଙ୍କ ସହଯୋଗୀ ଡୋଳାମଣି ବସ୍ତିଆ ଓ ଲବେନ୍ଦ୍ରଙ୍କୁ ମାଡ଼ ମାରି ଅପହରଣ କରିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ଆହତ ବିଜେପି କର୍ମୀମାନେ ୧୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ସଇଁତଳା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସମର୍ଥକମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଟିଟିଲାଗଡ଼ ଥାନା ଘେରାଉ କରିଥିଲେ।
ଗୁରୁବାର ରାତିରେ ନବୀନ ଜୈନ ନିର୍ବାଚନ ପ୍ରଚାରରେ ଡୁଙ୍ଗୁରିପାଲି ଯାଇଥିବାବେଳେ ତେଣ୍ଡିପାଲି ଗାଁରେ ଆୟୋଜିତ ଚନ୍ଦନଯାତ୍ରାରେ ଯୋଗଦେଇ ନିଜ ସମର୍ଥକଙ୍କ ସହ ଫେରୁଥିଲେ। ଗାଁ ନିକଟସ୍ଥ ସୋଲାର ପ୍ଲାଣ୍ଟଠାରେ କିଛି ଯୁବକ ଆସି ତାଙ୍କ ଗାଡ଼ିକୁ ଅଟକାଇ ସହଯୋଗୀମାନଙ୍କୁ ମାଡ଼ ମାରିଥିଲେ। ଏଥିରେ ସେମାନେ ଡୋଳାମଣି ଓ ଲବେନ୍ଦ୍ରଙ୍କୁ ଅପହରଣ କରି ନେଇଥିଲେ।
ତେବେ ନବୀନ ଜୈନଙ୍କ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କୁ ଗାଁ ଭିତରକୁ ନେଇ ଜଣେ ବ୍ୟକ୍ତିଙ୍କ ଘରେ ସୁରକ୍ଷିତ ଅବସ୍ଥାରେ ରଖି ଗାଁ ଲୋକଙ୍କୁ ଜଣାଇଥିଲେ। ନବୀନଙ୍କଠାରୁ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରୁ କିଛି ଦୂର ରାସ୍ତା କଡ଼ରେ ଡୋଳାମଣି ଓ ଲବେନ୍ଦ୍ରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ।
ଏହି ଘଟଣାକୁ କେନ୍ଦ୍ର କରି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
Tags: #PoliticalViolence #Titlagarh #Balangir #BJP #Elections #ECI #Odisha