ସତୀଶ ଶର୍ମା

ରାଜଗାଙ୍ଗପୁର ବିଧାନସଭା ଆସନ ହାତେଇବାକୁ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଛକାପଞ୍ଝା ଲାଗିରହିଥିବାବେଳେ ବିଜୟ ରଣନୀତି ପ୍ରସ୍ତୁତ କରୁଛି ବିଜେପି।

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଏହି ଆସନ ପାଇଁ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ବିଜୟ ପାଇଁ ଅଙ୍କ କଷୁଛି ବିଜେପି।

ବର୍ତ୍ତମାନ କଂଗ୍ରେସ ଦଖଲରେ ରହିଛି ରାଜଗାଙ୍ଗପୁର ଆସନ। କଂଗ୍ରେସ ଏଥର ଡାକ୍ତର ସିଏସ ରାଜନ ଏକ୍କାଙ୍କୁ ରିପିଟ କରିଥିବାବେଳେ ଅନୀଲ ବରୁଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି ବରିଷ୍ଠ ନେତା ନରସିଂହ ମିଞ୍ଜଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି।

କୁତ୍ରା ବ୍ଲକ, ରାଜଗାଙ୍ଗପୁର ବ୍ଲକ ଏବଂ ଲାଠିକଟା ବ୍ଲକର ୧୧ଟି ଗ୍ରାମପଞ୍ଚାୟତ ଏବଂ ରାଜଗାଙ୍ଗପୁର ପୌରପାଳିକାକୁ ନେଇ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ଗଠିତ। ରାଜ୍ୟର ଅନ୍ୟ ନିର୍ବାଚନମଣ୍ଡଳୀଗୁଡ଼ିକଠାରୁ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ସମୀକରଣ ଟିକିଏ ଭିନ୍ନ। ଏଠାରେ କଂଗ୍ରେସର ଭଲ ପ୍ରଭାବ ରହିଥିବାବେଳେ ବିଜେଡି ବାଜିମାରିବା ଲକ୍ଷ୍ୟରେ ରହିଛି। ବିଜେପି ମଧ୍ୟ ଜିତିବା ଆଶାରେ ଅଛି।

ମେ’ ୨୦ ତାରିଖରେ ରାଜଗାଙ୍ଗପୁର ଆସନ ପାଇଁ ଭୋଟ ପଡ଼ିବ। ବିଜେଡି, ବିଜେପି ନା ପୁଣି କଂଗ୍ରେସ, କାହା ଉପରେ ଭରସା କରିବେ ରାଜଗାଙ୍ଗପୁର ଭୋଟର ତା’ ଉପରେ ରହିଛି ସମସ୍ତଙ୍କ ନଜର।

ଡାକ୍ତର ସିଏସ ରାଜନଙ୍କୁ ରିପିଟ କଲା କଂଗ୍ରେସ

ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ଏବେ କଂଗ୍ରେସ ଅଧୀନରେ ରହିଛି। ୨୦୧୯ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଡାକ୍ତର ସିଏସ ରାଜନ ଏକ୍କା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳ କିଷାନଙ୍କୁ ପରାସ୍ତ କରି ବିଧାୟକ ନିର୍ବାଚିତ ହୋଇଥିଲେ। ମାତ୍ର କମ୍ ବ୍ୟବଧାନରେ କଂଗ୍ରେସ ଏଠାରେ ବିଜୟ ହାସଲ କରିଥିଲା।

ଡାକ୍ତର ସିଏସ ରାଜନ ଏକ୍କାଙ୍କୁ ୫୩ ହଜାର ୯୧୮ ଖଣ୍ଡ ଭୋଟ ମିଳିଥିବାବେଳେ ମଙ୍ଗଳ କିଷାନଙ୍କ ସପକ୍ଷରେ ପଡ଼ିଥିଲା ୫୨ ହଜାର ୯୮୨ ଖଣ୍ଡ ଭୋଟ। ସେହିପରି ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜଙ୍କୁ ୫୨ ହଜାର ୮୯୬ ଖଣ୍ଡ ଭୋଟ ମିଳିଥିଲା।

ଏଥର ବିଜେଡି ପ୍ରାର୍ଥୀ ଅନୀଲ ବରୁଆଙ୍କ ସହ ଡାକ୍ତର ରାଜନ ଏକ୍କାଙ୍କର ମୁଖ୍ୟ ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିବ। ବିଜେଡିର ବରିଷ୍ଠ ନେତା ମଙ୍ଗଳ କିଷାନଙ୍କ ପୁଅ ହେଉଛନ୍ତି ଅନୀଲ ବରୁଆ।

ଡାକ୍ତର ରାଜନ ଏକ୍କାଙ୍କ ବାପା କ୍ରିଷ୍ଟୋଫର ଏକ୍କା ୧୯୭୪ରେ ରାଜଗାଙ୍ଗପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ପୁନର୍ବାର ୧୯୭୭ ଏବଂ ୧୯୯୦ରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ସଫଳତା ପାଇନଥିଲେ। ୧୯୯୦ ମସିହାରେ ଜନତା ଦଳର ପ୍ରାର୍ଥୀ ମଙ୍ଗଳ କିଷାନଙ୍କଠାରୁ ପରାଜିତ ହୋଇଥିଲେ କ୍ରିଷ୍ଟୋଫର ଏକ୍କା।

ବାପାଙ୍କ ଗଡ଼ ଫେରାଇଆଣିବେ କି ଅନୀଲ?

ରାଜଗାଙ୍ଗପୁରକୁ ମଙ୍ଗଳ କିଷାନଙ୍କ ଗଡ଼ ବୋଲି କୁହାଯାଉଥିଲା। ମଙ୍ଗଳ କିଷାନ ଜନତା ଦଳ ଟିକେଟରେ ୧୯୮୫, ୧୯୯୦, ୧୯୯୫ରେ ବିଧାୟକ ନିର୍ବାଚିତ ହୋଇଥିଲେ। ସେହିପରି ସେ ବିଜେଡି ଟିକେଟରେ ୨୦୦୦ ଏବଂ ୨୦୧୪ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଡାକ୍ତର ସିଏସ ରାଜନ ଏକ୍କାଙ୍କଠାରୁ ସେ ଅତି କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମଙ୍ଗଳ କିଷାନଙ୍କ ପୁଅ ଅନୀଲ ବରୁଆ।

ବିଜେଡି ଅନୀଲଙ୍କୁ ରାଜଗାଙ୍ଗପୁର ଆସନ ଲାଗି ପ୍ରାର୍ଥୀ କରିଛି। ଅନୀଲ ବାପାଙ୍କ ଗଡ଼କୁ ପୁଣି ଫେରାଇ ଆଣିବାକୁ ଆଶା ରଖିଛନ୍ତି। ବାପାଙ୍କ ଲୋକାପ୍ରିୟତା ଏବଂ ବିଜେଡିର ସଂଗଠନକୁ ନେଇ ଅନୀଲ ଏହି ରାଜନୈତିକ ଲଢ଼େଇ ଜିତିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି।

ନରସିଂହଙ୍କ ଉପରେ ପୁଣି ଭରସା କରିଛି ବିଜେପି

ଏଥର ପୁଣି ନରସିଂହ ମିଞ୍ଜଙ୍କ ଉପରେ ଭରସା କରିଛି ବିଜେପି। କାରଣ ନରସିଂହଙ୍କର ରାଜଗାଙ୍ଗପୁରରେ ସାଂଗଠନିକ ସ୍ଥିତି ଭଲ ରହିଛି। ଏଥର କେନ୍ଦ୍ର ସରକାରଙ୍କ ବିକାଶ ଯୋଜନା ଏବଂ ବିଜେଡି ସରକାରର ବିଫଳତାକୁ ଅସ୍ତ୍ର କରି ଭୋଟରଙ୍କ ପାଖକୁ ପହଞ୍ଚୁଛନ୍ତି ନରସିଂହ ମିଞ୍ଜ।

୨୦୧୯ ନିର୍ବାଚନରେ ନରସିଂହ ମିଞ୍ଜ କଂଗ୍ରେସ ପ୍ରାର୍ଥୀ ଡାକ୍ତର ସିଏସ ରାଜନ ଏକ୍କାଙ୍କଠାରୁ ମାତ୍ର ୧ ହଜାର ୨୨ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ତେବେ ଏଥର ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ନରସିଂହ।

ତେବେ ଦେଖିବାକୁ ବାକି ରହିଲା ଡାକ୍ତର ସିଏସ ରାଜନ ଏକ୍କା ପୁଣି ସଫଳ ହେବେ ନା ବିଜେଡି ଛଡ଼େଇ ନେବ ଗଡ଼, ନା ଦୁଇ ଦଳଙ୍କ ଲଢ଼େଇର ଫାଇଦା ନେବ ବିଜେପି।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

Tags: #Politics #OdishaPolitics #OdishaAssemblyElections2024 #Rajgangpur AssemblyElection2024 #Odisha #BJD #BJP #Congress

LEAVE A REPLY

Please enter your comment!
Please enter your name here